ବଲିଉଡର ‘ହି-ମ୍ୟାନ’ ଧର୍ମେନ୍ଦ୍ରଙ୍କ ପରଲୋକ, ୯୦ତମ ଜନ୍ମଦିନ ପୂର୍ବରୁ ତ୍ୟାଗ କଲେ ଶେଷ ନିଶ୍ୱାସ

Dharmendra Deol

ବଲିଉଡର ପ୍ରସିଦ୍ଧ ଏବଂ ଦର୍ଶକଙ୍କ ପ୍ରିୟ ଅଭିନେତା, ଯାହାଙ୍କୁ ସ୍ନେହରେ ‘ହି-ମ୍ୟାନ୍’ ବୋଲି ଡକାଯାଉଥିଲା, ସେହି ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ଏବଂ ସେ ଆସନ୍ତା ଡିସେମ୍ବର ୮ ତାରିଖରେ ତାଙ୍କର ୯୦ତମ ଜନ୍ମଦିନ ପାଳନ କରିବାକୁ ଯାଉଥିଲେ। ସୂଚନା ମୁତାବକ, ସୋମବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଅବଶେଷରେ ସେ ଆଜି ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଏହି ବିୟୋଗ ଖବର ସମଗ୍ର ଚଳଚ୍ଚିତ୍ର ଜଗତରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

ନିକଟରେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସମସ୍ୟା ଦେଖାଦେବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଶଂସକଙ୍କ ମହଲରେ ଚିନ୍ତା ବଢ଼ିବାରୁ, ହସ୍ପିଟାଲ ଟିମ୍ ପକ୍ଷରୁ ସେ ଗୁରୁତର ନୁହନ୍ତି, କେବଳ ଅବଜରଭେସନରେ ଅଛନ୍ତି ବୋଲି ସ୍ପଷ୍ଟ କରାଯାଇଥିଲା। ତେବେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଧର୍ମେନ୍ଦ୍ର ଛଅ ଦଶକରୁ ଅଧିକ ସମୟ ଧରି ବଲିଉଡରେ ସକ୍ରିୟ ଥିଲେ ଏବଂ ତାଙ୍କ ଅଭିନୟ ଜୀବନରେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ‘ଶୋଲେ’, ‘ଧରମ ବୀର’, ‘ଚୁପ୍‌କେ ଚୁପ୍‌କେ’, ‘ମେରା ଗାଁଓ ମେରା ଦେଶ’ ଏବଂ ‘ଡ୍ରିମ୍ ଗାର୍ଲ’ ଭଳି ଅନେକ ସଫଳ ଚଳଚ୍ଚିତ୍ର ମାଧ୍ୟମରେ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ। ଦର୍ଶକ ତାଙ୍କୁ ଉଭୟ ଆକ୍ସନ୍ ଏବଂ କମେଡି ଚରିତ୍ରରେ ଖୁବ୍ ପସନ୍ଦ କରୁଥିଲେ।

ତାଙ୍କର ଶେଷ ରିଲିଜ୍ ହୋଇଥିବା ଫିଲ୍ମ ଥିଲା ଶାହିଦ କପୁର ଓ କ୍ରିତି ଶାନନଙ୍କ ସହ ଅଭିନୀତ ‘‘ତେରୀ ବାତୋଁ ମେଁ ଐସା ଉଲଝା ଜିୟା’’ (୨୦୨୪)। ସେହିପରି, ତାଙ୍କ ଅଭିନୀତ ଆଉ ଏକ ଅପକମିଂ ଫିଲ୍ମ ‘ଇକିସ୍’, ଯେଉଁଥିରେ ସେ ବ୍ରିଗେଡିୟର୍ ଏମ୍‌.ଏଲ୍‌. କ୍ଷେତ୍ରପାଲଙ୍କ ଭୂମିକାରେ ନଜର ଆସିବେ, ତାହା ଡିସେମ୍ବର ମାସରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।
ଧର୍ମେନ୍ଦ୍ରଙ୍କ ବିୟୋଗ ସହିତ ବଲିଉଡର ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଛି। ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ଏବଂ ଏହି ଅପୂରଣୀୟ କ୍ଷତିକୁ କେବେହେଲେ ଭୁଲିହେବ ନାହିଁ। ସାରା ଚଳଚ୍ଚିତ୍ର ଜଗତ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories