ଭୁବନେଶ୍ବର: ଓଡ଼ିଶାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ରାଜ୍ୟ ସରକାର ଓ ପୋଲିସ ବିଭାଗ ନେଇଥିବା ଦୃଢ଼ ସଙ୍କଳ୍ପ ଏବେ ବାସ୍ତବ ରୂପ ନେଉଛି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟକୁ ମାଓ-ମୁକ୍ତ କରିବା ଲକ୍ଷ୍ୟ ନେଇ ଅଭିଯାନ ଜାରି ରହିଥିବା ବେଳେ, ଏହି କ୍ରମରେ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ପୋଲିସକୁ ଏକ ବିରାଟ ସଫଳତା ମିଳିଛି। ମୋଟ ୧୯ ଜଣ ସକ୍ରିୟ ମାଓବାଦୀ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ ପ୍ରଭାବଶାଳୀ ପୁନର୍ବାସ ଓ ଥଇଥାନ ନୀତି ଯୋଗୁଁ ଅନେକ ବିଭ୍ରାନ୍ତ ଯୁବକ ଏବେ ହିଂସାର ମୋହ ତ୍ୟାଗ କରୁଛନ୍ତି।
ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (BGN) ଡିଭିଜନର ମୋଟ ୧୫ ଜଣ ମାଓବାଦୀ ପୋଲିସ ନିକଟରେ ସମର୍ପଣ କରିଛନ୍ତି। ଏଥିମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଦୁଇଜଣ ବରିଷ୍ଠ ରାଜ୍ୟ କମିଟି ସଦସ୍ୟଙ୍କ ଆତ୍ମସମର୍ପଣl
ନିଖିଲ @ ନିରଞ୍ଜନ ରାଉତ ଦୀର୍ଘ ଦୁଇ ଦଶନ୍ଧି ଧରି ରାୟଗଡ଼ା, ଗଜପତି ଓ କନ୍ଧମାଳ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଅଙ୍କିତା @ ରଶ୍ମୀତା ଲେଙ୍କା ଜଣେ ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ଭାବେ ପରିଚିତ ଥିଲେ। ଉଭୟଙ୍କ ମୁଣ୍ଡ ଉପରେ ସରକାରଙ୍କ ପକ୍ଷରୁ ମୋଟ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଏହି ଅଭିଯାନ ବେଳେ ପୋଲିସ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ଏଥିମଧ୍ୟରେ ରହିଛି AK-47 (୨ଟି), SLR (୫ଟି), Sten (୧ଟି), INSAS (୧ଟି), ଏବଂ ଅନ୍ୟାନ୍ୟ ରାଇଫଲ ସମେତ ମୋଟ ୧୪ଟି ଅତ୍ୟାଧୁନିକ ବନ୍ଧୁକ।
ଅପରପକ୍ଷରେ କନ୍ଧମାଳ ଜିଲ୍ଲାରେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (KKBN) ଡିଭିଜନର ୪ ଜଣ ସକ୍ରିୟ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ – ଗଙ୍ଗା କୁଞ୍ଜାମି, ମୁଚାକି ମାସେ, ଚୋମାଲି କୁଞ୍ଜମ୍ ଏବଂ ବନ୍ଦୀ ମାଡ଼ଭି।
ସେମାନଙ୍କ ଠାରୁ ଗୋଟିଏ SLR, ଦୁଇଟି .303 ରାଇଫଲ ଏବଂ ୧୨ ବୋର ବନ୍ଧୁକ ସମେତ ବହୁ ସଂଖ୍ୟାରେ ଗୁଳିଗୋଳା ଜବତ କରାଯାଇଛି। ଏହି ସଦସ୍ୟମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ମାମଲା ରହିଥିଲା।
ଡିଜିପି ଶ୍ରୀ ଖୁରାନିଆ ସ୍ପଷ୍ଟ କରିଛନ୍ତି ଯେ, ମାଓବାଦୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବା ସହ ଶାନ୍ତି ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ସୁରକ୍ଷା ଓ ଥଇଥାନର ସମସ୍ତ ବ୍ୟବସ୍ଥା କରାଯିବ। ଜଙ୍ଗଲରେ ଲୁଚି ରହିଥିବା ଅନ୍ୟ ମାଓବାଦୀମାନେ ମଧ୍ୟ ତୁରନ୍ତ ଅସ୍ତ୍ର ତ୍ୟାଗ କରି ସାଧାରଣ ଜୀବନ ବିତାଇବାକୁ ସେ ଆହ୍ୱାନ ଦେଇଛନ୍ତି।








