ପ୍ରାକ୍ ବଜେଟ ପରାମର୍ଶ: ୨୦୨୬-୨୭ ହେବ ‘ଲୋକଙ୍କ ବଜେଟ’

ପ୍ରାକ୍ ବଜେଟ ପରାମର୍ଶ: ୨୦୨୬-୨୭ ହେବ ‘ଲୋକଙ୍କ ବଜେଟ’

ଭୁବନେଶ୍ବର: ଆସନ୍ତା 20ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ତା ପୂର୍ବରୁ ଓଡ଼ିଶା ସରକାର ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷର ବଜେଟକୁ ଲୋକମୁଖୀ ଓ ସାର୍ବଜନୀନ ହିତଭିତ୍ତିକ କରିବା ଲକ୍ଷ୍ୟରେ ଆଜି ପ୍ରାକ୍ ବଜେଟ ପରାମର୍ଶ ସଭା ଆୟୋଜନ କରିଛନ୍ତି । ଲୋକସେବା ଭବନ କନଭେନସନ୍ ହଲରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ବୁଦ୍ଧିଜୀବୀ, ଉଦ୍ୟୋଗପତି ଓ ସାମାଜିକ ସଂଗଠନ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର । ସେଥିପାଇଁ ବଜେଟ ପ୍ରସ୍ତୁତି ପ୍ରକ୍ରିୟାକୁ ସଚିବାଳୟର ସୀମାରେ ସୀମିତ ନ ରଖି, ସିଧାସଳଖ ଜନସାଧାରଣଙ୍କ ସହ ଯୋଡ଼ାଯାଇଛି । ଲୋକମାନଙ୍କଠାରୁ ଆସୁଥିବା ମୂଲ୍ୟବାନ ମତାମତକୁ ଅଧ୍ୟୟନ କରି ବଜେଟରେ ସ୍ଥାନ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ ଓ କଟକ-ଭୁବନେଶ୍ୱର-ପାରାଦୀପ-ପୁରୀ ଅର୍ଥନୈତିକ କରିଡର ପରିକଳ୍ପନା ଭଳି ଅନେକ ଯୋଜନା ଜନମତରୁ ଉତ୍ପନ୍ନ ହୋଇଛି। ଜନସାଧାରଣଙ୍କ ପ୍ରତିକ୍ରିୟା ଆଧାରରେ ନୀତି ଓ କାର୍ଯ୍ୟକ୍ରମରେ ସମୟୋଚିତ ପରିବର୍ତ୍ତନ କରାଯାଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ଶିଳ୍ପାୟନ, ରୋଜଗାର ସୃଷ୍ଟି ଓ ଆର୍ଥିକ ବିକାଶରେ ନୂଆ ଗତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଫଳରେ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହୋଇଛି ଏବଂ ମହିଳା ଓ କୃଷକମାନେ ଲାଭାନ୍ବିତ ହେଉଛନ୍ତି।

୨୦୨୬-୨୭ ବଜେଟ ପାଇଁ ୱେବ୍ ପୋର୍ଟାଲ, ଇ-ମେଲ, ଏସଏମଏସ ଓ ୱାଟସଅପ୍ ମାଧ୍ୟମରେ ଲୋକମାନଙ୍କ ଠାରୁ ବହୁ ସଂଖ୍ୟାରେ ପରାମର୍ଶ ଆସୁଥିବା ସେ ସୂଚନା ଦେଇଥିଲେ। ସମସ୍ତ ମତାମତକୁ ରେକର୍ଡ କରି ଗଭୀର ଭାବେ ବିଚାର କରିବାକୁ ସେ ସମ୍ପର୍କିତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରାକ୍ ବଜେଟ ପରାମର୍ଶ ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ, ବ୍ୟବସାୟୀ ସଂଘ, ଯୁବ ଉଦ୍ୟୋଗୀ ସଂଗଠନ, NGO ପ୍ରତିନିଧି, ଫିନଟେକ୍ ସଂସ୍ଥାର ମୁଖ୍ୟ, ସମାଜସେବୀ ଓ ବୁଦ୍ଧିଜୀବୀ ସମେତ ପ୍ରାୟ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ସଚିବ ସଞ୍ଜିବ କୁମାର ମିଶ୍ର ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ଏହି ପରାମର୍ଶ ସଭା ମାଧ୍ୟମରେ ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଲୋକମତକୁ ଗୁରୁତ୍ୱ ଦେଇ ନୀତି ଓ ବଜେଟ ପ୍ରସ୍ତୁତି ହିଁ ତାଙ୍କର ପ୍ରାଥମିକତା । ଆସନ୍ତା ୨୦୨୬-୨୭ ବଜେଟ ଓଡ଼ିଶାବାସୀଙ୍କ ଆଶା ଓ ଆକାଙ୍ଖାକୁ ପ୍ରତିବିମ୍ବିତ କରିବ ବୋଲି ଆଶା କରାଯାଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories