ଭୁବନେଶ୍ୱର: ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ଓଡିଶାର ସାମଗ୍ରିକ ବିକାଶର ମୁଖ୍ୟ ଆଧାର । ଏହି ଲକ୍ଷ୍ୟକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ କରି ମହିଳାମାନଙ୍କ ଜୀବନଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆଣୁଛନ୍ତି । ଆଜି ମିଶନ ଶକ୍ତି ଭବନ, ଭୁବନେଶ୍ୱର ଠାରେ “ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ” କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, “ମହିଳାଙ୍କୁ ସ୍ୱାବଳମ୍ବୀ କରିବା ପାଇଁ ରାଜ୍ୟ ସରକାର ଜୀବିକାମୂଳକ ଓ ଦୀର୍ଘକାଳୀନ ଆର୍ଥିକ ମଡେଲ୍ ଉପରେ କାମ କରୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।
ବ୍ୟାଙ୍କ ଋଣ ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ନିଜ ଉଦ୍ୟୋଗକୁ ଆଗେଇ ନେଇପାରୁଛନ୍ତି । ଏହା ସହ ଋଣରେ ସୁଧ ଭାର କମିଥିବାରୁ ସେମାନଙ୍କ ଆୟ ଓ ବ୍ୟବସାୟ ବୃଦ୍ଧି ପାଉଛି । ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତ କରି ଏହାର ସମ୍ପୂର୍ଣ୍ଣ ସୁଧ ରାଶି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ଫେରସ୍ତ କରୁଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ୨,୮୦,୫୮୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭. ୬୬ କୋଟି ଟଙ୍କାରୁ ଅଧିକ ସୁଧ ଫେରସ୍ତ ରାଶି ପ୍ରଦାନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ ରେ ବର୍ତ୍ତମାନ ସୁଦ୍ଧା ୫୧୫ କୋଟିରୁ ଉର୍ଦ୍ଧ ଟଙ୍କା ସୁଧ ଫେରସ୍ତ କରାଯାଇଛି ।
ଏହି ପଦକ୍ଷେପ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗମାନଙ୍କୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ମହିଳାମାନଙ୍କ ଅବଦାନକୁ ଆହୁରି ସୁଦୃଢ଼ କରିଛି । କେନ୍ଦ୍ର ସରକାର ବଜେଟରେ ଲକ୍ଷପତି ଦିଦି ଯୋଜନାର ସଂପ୍ରସାରଣ ଓ SHE Mart (Self-help Enterprises) ଉପରେ ଗୁରୁତ୍ଵ ଦେଇ କ୍ଲଷ୍ଟର ଲେବଲରେ ମହିଳା ସଶକ୍ତିକରଣକୁ ଏକ ସୃଦୃଢ ଓ ଶକ୍ତିଶାଳୀ କର୍ମଦକ୍ଷ ଭାବେ ରୂପାନ୍ତରିତ ହେବ ବୋଲି କରିଥିବା ଘୋଷଣାର ସେ ପୁନରାବୃତ୍ତି କରିଛନ୍ତି ।
ଆଜି ଏକ ଐତିହାସିକ ଘୋଷଣା କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ୪୬ ହଜାରରୁ ଉର୍ଦ୍ଧ୍ଵ ସିଆରପି ଭଉଣୀମାନଙ୍କୁ ସ୍ମାର୍ଟ ଫୋନ, ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ଏବଂ ପରିଚୟ ମିଳିବ ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ, ଓଡିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନେ ଓ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଓ ସ୍ଵଂୟ ସହାୟକ ଗୋଷ୍ଠୀର ମା ମାନେ ଆଭାଷୀ ମାଧ୍ୟମରେ ଯୋଗ ଦେଇଥିଲେ ।
ମିଶନ ଶକ୍ତି ବିଭାଗର ଏହି ପଦକ୍ଷେପ ମହିଳାମାନଙ୍କୁ ସ୍ୱାବଳମ୍ବୀ, ସକ୍ଷମ ଓ ସଶକ୍ତ କରିବା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଛି ।







