ଶୀତ ଦିନ ଆସିଲେ ସମସ୍ତଙ୍କର ଭଲ ଖାଇବାକୁ ଓ ବୁଲିବାକୁ ଇଚ୍ଛା ହୁଏ । କେହି କେହି ଭାରତର ବିଭିନ୍ନ ପ୍ରାନ୍ତ ବୁଲନ୍ତି ତ ଆଉ କେହି ବିଦେଶ ଯାତ୍ରା କରିବାକୁ ପସନ୍ଦ କରନ୍ତି । ମାତ୍ର ଭିସା ଆବେଦନ ଓ ଏଥିପାଇଁ ଅନୁମତି ପାଇବାରେ ପ୍ରତିବନ୍ଧକ ଅନେକଙ୍କ ପ୍ଲାନିଂକୁ ଖଟ୍ଟା କରିଦିଏ । ଯଦି ଆପଣ ବି ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ, କାରଣ ଆମେ ଆଜି ଆପଣଙ୍କୁ ଏପରି 8ଟି ଦେଶ ବାବଦରେ ଜଣାଇବୁ, ଯେଉଁଠାକୁ ଯିବା ପାଇଁ କୌଣସି ଭିସାର ଆବଶ୍ୟକତା ନାହିଁ । ତେବେ କେଉଁ ଦେଶ ବିନା ଭିସାରେ ଭାରତୀୟଙ୍କୁ ସ୍ୱାଗତ ଜଣାଏ, ଜାଣନ୍ତୁ…
1.ଥାଇଲ୍ୟାଣ୍ଡ
ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଥାଇଲ୍ୟାଣ୍ଡ ଏକ ପ୍ରିୟର ଭ୍ରମଣୀୟ ସ୍ଥାନ । ଶୀତ ଦିନେ ଥାଇଲ୍ୟାଣ୍ଡର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ । ଜାନୁଆରୀ ଏବଂ ଫେବୃଆରୀରେ ନିର୍ମଳ ଆକାଶ ସାଙ୍ଗକୁ 25ରୁ 30 ଡିଗ୍ରୀ ସେଲସିୟସ୍ ମଧ୍ୟରେ ଉଷ୍ମ ତାପମାତ୍ରା ଏବଂ କମ୍ ଆର୍ଦ୍ରତା ଏକ ସୁନ୍ଦର ଅଭିଜ୍ଞତା ପ୍ରଦାନ କରେ । ଥାଇଲ୍ୟାଣ୍ଡକୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଚେନ୍ନାଇରୁ ଦିନ ସାରା ବିମାନ ସେବା ରହିଛି । ମାତ୍ର 3-5 ଘଣ୍ଟା ମଧ୍ୟରେ ଥାଇଲ୍ୟାଣ୍ଡରେ ପହଞ୍ଚିଯିବେ ।
2.ମାଳଦ୍ୱୀପ
ଭାରତୀୟ ଭ୍ରମଣକାରୀଙ୍କ ପାଇଁ ମାଳଦ୍ୱୀପ ହେଉଛି ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର । ଏଠାରେ ଶୀତକାଳୀନ ସୂର୍ଯ୍ୟକିରଣ, ବିସ୍ତିର୍ଣ୍ଣ ନୀଳ ଜଳରାଶି ଓ ଜଳକ୍ରୀଡା ସାଙ୍ଗକୁ ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ ଆନନ୍ଦ ଦିଏ । ମାଳଦ୍ୱୀପ ମଧ୍ୟ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ବିନା ଭିସାରେ ନିମନ୍ତ୍ରଣ କରେ । ଏଠାକୁ ମଧ୍ୟ ଯିବା ପାଇଁ ବିମାନରେ 3ରୁ 4 ଘଣ୍ଟା ସମୟ ଲାଗେ । ବିଭିନ୍ନ ସହରରୁ ମାଳଦ୍ୱୀପକୁ ଡାଇରେକ୍ଟ ଫ୍ଲାଇଟ୍ ରହିଛି ।
3.ମରିସସ୍
ଜାନୁଆରୀ ମାସରେ ମରିସସ୍ ଏକ ଉଷ୍ମ ପ୍ରଧାନ ରାଷ୍ଟ୍ର । ଏଠାକାର ତାପମାତ୍ରା 25ରୁ 30 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥାଏ । ସକାଳର ସୂର୍ଯ୍ୟକିରଣ ଏବଂ ଅପରାହ୍ନରେ ଅଳ୍ପ ବର୍ଷା ମରିସସକୁ ଆକର୍ଷଣୀୟ କରିଥାଏ । ମରିସସକୁ ମଧ୍ୟ ଯିବା ପାଇଁ ଭାରତୀୟ ସହରଗୁଡ଼ିକରୁ ସିଧାସଳଖ ବିମାନ ସେବା ରହିଛି । ଯାହା 4-5 ଘଣ୍ଟା ମଧ୍ୟରେ ମରିସସ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ପହଞ୍ଚାଇ ଦେବ ।
4.ସେଶଲ୍ସ
ସେଶଲ୍ସ ହେଉଛି ପୂର୍ବ ଆଫ୍ରିକାର ଏକ ସୁନ୍ଦର ଦେଶ । ଏହି ଦେଶ ମଧ୍ୟ ଭାରତୀୟ ଭ୍ରମଣକାରୀଙ୍କ ପାଇଁ ଭିସା ଫ୍ରି ରଖିଛି । ଜାନୁଆରୀ ମାସରେ ଏଠାରେ 28 ରୁ 30 ଡିଗ୍ରୀ ସେଲସିୟସ୍ ମଧ୍ୟରେ ଉଷ୍ମ ପାଗ ରହିଥାଏ । ଶାନ୍ତ ସମୁଦ୍ର ଓ ଋତୁକାଳୀନ ବର୍ଷା ଏହି ଦେଶର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥାଏ । ଦିଲ୍ଲୀ ଏବଂ ମୁମ୍ବାଇରୁ ସେଶଲ୍ସକୁ ଡାଇରେକ୍ଟ ଫ୍ଲାଇଟ୍ ରହିଛି, ଯାହା 4ରୁ 5 ଘଣ୍ଟା ମଧ୍ୟରେ ସମୟ ଲାଗିଥାଏ ।
5.ଭୁଟାନ
ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଭୁଟାନରେ ଆରମ୍ଭ ହୋଇଯାଏ ଭମଣକାଳୀନ ଋରୁ । ଏଠାରେ ଦିନ ତାପମାତ୍ରା 10ରୁ 15 ଡିଗ୍ରୀ ମଧ୍ୟରେ ରହିଥାଏ । ଏହି ଦିନରେ ସ୍ପଷ୍ଟ ଆକାଶ ଓ ଥଣ୍ଡା ପାଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ବ୍ୟବସାୟକୁ ଦୃଷ୍ଟିରେ ରଖି ଭୁଟାନ ସରକାର ମଧ୍ୟ ଏହି ସମୟରେ ଭାରତୀୟଙ୍କ ପାଇଁ ଫ୍ରି ଭିସା ଲାଗୁ କରିଛନ୍ତି । ଭୁଟାନ ଯିବାକୁ ହେଲେ ପ୍ରଥମେ କାଠୁମାଣ୍ଡୁକୁ ଯିବାକୁ ପଡ଼େ, ସେଠାରୁ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । କିଛି ସହରରୁ ମଧ୍ୟ ଭୁଟାନକୁ ଡାଇରେକ୍ଟ ଫ୍ଲାଇଟ୍ ସୁବିଧା ରହିଛି ।
6.ନେପାଳ
ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସ୍ପଷ୍ଟ ପର୍ବତମାଳା ଦୃଶ୍ୟ, ଆରାମଦାୟକ ତାପମାତ୍ରା ଏବଂ ହାଲକା ହାଲକା ବର୍ଷାର ଦୃଶ୍ୟ ନିଆରା । ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବିନା ଭିସାରେ ଭାରତୀୟଙ୍କୁ ନିମନ୍ତ୍ରଣ କରେ ନେପାଳ । ଯାତ୍ରୀମାନେ ଅନେକ ଭାରତୀୟ ରାଜ୍ୟରୁ ସଡ଼କ ପଥରେ ନେପାଳ ଯାଇପାରିବେ କିମ୍ବା ଟ୍ରେନ୍ କିମ୍ବା ଫ୍ଲାଇଟରେ ସିଧାସଳଖ କାଠମାଣ୍ଡୁ ଯାଇପାରିବେ।
7.ଶ୍ରୀଲଙ୍କା
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଶ୍ରୀଲଙ୍କା । ଏଠାରେ ଜାନୁଆରୀ ଏବଂ ଫେବୃଆରୀରେ ତାପମାତ୍ରା ପ୍ରାୟ 28ରୁ 30 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥାଏ । କମ୍ ବର୍ଷା ଏବଂ ବିସ୍ତିର୍ଣ୍ଣ ବେଳାଭୂମି ଏବଂ ପ୍ରାଚୀନ ମନ୍ଦିର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ ସୁବିଧା ରଖିଛନ୍ତି । ବିଭିନ୍ନ ଭାରତୀୟ ମହାନଗରରୁ କଲମ୍ବୋକୁ ବିମାନ ଯାତ୍ରା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗେ ।
8.ମାଲେସିଆ
ମାଲେସିଆକୁ ଯିବା ପାଇଁ କାହାର ବା ମନ ନଥାଏ । କିନ୍ତୁ ଭିସା ସମସ୍ୟା ଅନେକଙ୍କ ଗୋଡ଼ ବାନ୍ଧି ରଖେ ମାତ୍ର ଶୀତଋତୁରେ ଏଠାକାର ସରକାର ଭାରତୀୟଙ୍କ ପାଇଁ ଭିସାମୁକ୍ତ ସୁବିଧା ଲାଗୁ କରିଛନ୍ତି । ଭାରତରୁ କୁଆଲାଲମ୍ପୁର ଏବଂ ପେନାଙ୍ଗକୁ ବିମାନ ଯାତ୍ରା ପାଇଁ ୩ରୁ ୫ ଘଣ୍ଟା ସମୟ ଲାଗେ ।








