ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ନୀଳ ଜହରର କଳା ସାମ୍ରାଜ୍ୟ ପାଲଟିଛି l ଜିଲ୍ଲାରେ ବର୍ତ୍ତମାନ ନୂଆ କୁଟୀର ଶିଳ୍ପ ଭାବରେ ଗଞ୍ଜେଇ ଚାଷ ମୁଣ୍ଡ ଟେକିଛି l ଶିଳାବତୀ ନାମକ ଗଞ୍ଜେଇର ବେଶ ଚାହିଦା ରହିଥିବା ବେଳେ ଶାଳବଣର ସ୍ଥାନ ନେଇଛି ଶିଳାବତୀ l ଅପହଞ୍ଚ ପାହାଡିଆ ଜଙ୍ଗଲ ଜମି ସବୁଠୁ ସୁରକ୍ଷିତ ସ୍ଥାନ l ଗଞ୍ଜେଇ ପାଇଁ ନିଶ୍ଚିହ୍ନ ହେଉଛି ଘଞ୍ଚ ଜଙ୍ଗଲ l ଛଅ ମାସ ଚାଷ କଲେ ବର୍ଷସାରା ବେପାର ଅର୍ଥାତ ଅନ୍ୟ ଫସଲ ତୁଳନାରେ ୧୦ ଗୁଣା ଲାଭ ମିଳୁଛି l ବୌଦ୍ଧରେ ଗଞ୍ଜେଇ ଧୂଆଁର କଳାଫର୍ଦ୍ଦ ଖୋଲୁଥିବା ବେଳେ କୋଟି କୋଟି ଟଙ୍କାର କାରବାର ହେଉଥିବା ମଧ୍ୟ ସାଧାରଣରେ ଆଶ୍ଚର୍ୟ ଚକିତ କରିଛି? ସାଧାରଣ ଲୋକଙ୍କ ଆୟର ପ୍ରମୁଖ ମାଧ୍ୟମ ସାଜିଛି ଗଞ୍ଜେଇ ଚାଷ l
ଜଣେ ଗଞ୍ଜେଇ ଚାଷୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଖର୍ଚ୍ଚ ଗଲା ପରେ ମଧ୍ୟ ବର୍ଷକୁ ପ୍ରାୟ ୨ ଲକ୍ଷ ଟଙ୍କା ଲାଭ ମିଳୁଛି l ବୌଦ୍ଧ ଜିଲ୍ଲା ପୋଲିସର ଗଞ୍ଜେଇ କଟା ଅଭିଯାନ ପ୍ରହସନ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ବିଶେଷ କରି ଧନୀ ଶ୍ରେଣୀର ଲୋକ ବୌଦ୍ଧ ଅଞ୍ଚଳରେ ବସବାସ କରି ଗଞ୍ଜେଇ ବେପାର କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି l ରାଜନେତାଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ଏହି ଗ୍ରୀନ କରିଡରରୁ ବାଦ ପଡ଼ି ନାହିଁ l ଏଠାରେ ରାଜନୀତି କମ ଗଞ୍ଜେଇ ବ୍ୟବସାୟ ଅଧିକ ହେଉଥିବା ବେଳେ ଅଧିକ ବଟି ଦେଇ ପୋଲିସ ବାବୁମାନେ ଏଠାକୁ ବଦଳି ପାଇଁ ପସନ୍ଦ କରିଥାନ୍ତି l ବଲିଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ଶିଳାବତୀ ଗଞ୍ଜେଇ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥାଏ l
ଓଡ଼ିଶାର ଶିଳାବତୀ ଗଞ୍ଜେଇ ହିଁ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା l ଏପଟେ ଗଞ୍ଜେଇ ବ୍ୟବସାୟ ପାଇଁ ୩ୟ ମହଲା ପର୍ଯ୍ୟନ୍ତ ହାତ ଲମ୍ବିଥିବା ମଧ୍ୟ ସନ୍ଦେହ ସୃଷ୍ଟି କରୁଥିବା ବେଳେ ବୁଦ୍ଧିଜୀବି ମହଲରେ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି l







