ରହସ୍ୟ ଘେରରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ। ଦିନକୁ ଦିନ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ରହସ୍ୟ ଓ ବିବାଦ ଘନଉଛି। ପୁଅର ଏପରି ଆକାଳ ବିୟୋଗ ପାଇଁ ହ୍ୟୁମାନଙ୍କ ମାଆ ୩ ଜଣଙ୍କୁ ଦାୟୀ କରିଥିବାବେଳେ ଏବେ ସେମାନଙ୍କ ଗିରଫଦାରୀ ଜୋର୍ ଧରୁଛି। ହ୍ୟୁମାନ ସାଗର ମୃତ୍ୟୁ ସ୍ଵାଭାବିକ ନୁହେଁ, ତାଙ୍କୁ ଜାଣି ଜାଣି ନିଶା ଦିଆ ଯାଇଥିଲା ଏବଂ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏନେଇ ଆଜି ସିଧାସଳଖ ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ।
ହ୍ୟୁମାନଙ୍କ ମୃତ୍ୟୁ ପଛରେ ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ହାତ ଥିବା ଅଭିଯୋଗ କରି ବଲାଙ୍ଗୀର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା। କେବଳ ଏତିକି ନୁହେଁ, ଭାଇରାଲ ଭିଡ଼ିଓରେ ଦିନେଶ ବେହେରା ହ୍ୟୁମାନଙ୍କ ମାଆଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିବାକୁ ନେଇ ସେମାନେ ନିନ୍ଦା କରିଛନ୍ତି। ଜଣେ ଶୋକସନ୍ତପ୍ତ ପରିବାର ପ୍ରତି ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ତଦନ୍ତ କରି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ, ନଚେତ ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଦିଆଯିବା ନେଇ ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ।
ପ୍ରକାଶ ଥାଉ କି ପୁଅକୁ ଡିପ୍ରେଶନରେ ରଖି ରଖି ମାରି ଦିଆଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ମାଆ। ଏଥିପାଇଁ ୩ ଜଣଙ୍କୁ ଦାୟୀ କରିଥିଲେ। ଏବେ ବିଭିନ୍ନ ସଂଗଠନର ଲିଖିତ ଅଭିଯୋଗ ପରେ ସେମାନଙ୍କ ଗିରଫଦାରୀ ଦାବି ତେଜିଛି। ଏନେଇ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି, ତା’ ଉପରେ ରହିଛି ସମସ୍ତଙ୍କର ନଜର।








