ଭାୟା ସାଜିଛି ପାକିସ୍ତାନ; ତୁର୍କୀ-ଚାଇନାରୁ ଆସୁଛି ମାରଣାସ୍ତ୍ର

ପରୋକ୍ଷରେ ଭାରତରେ ଆତଙ୍କ ସୃଷ୍ଟି କରୁଛନ୍ତି ଚାଇନା ଆଉ ତୁର୍କୀ । ଏଥିରେ ମାଧ୍ୟମ ସାଜିଛି ପାକିସ୍ତାନ । ଭାରତକୁ ଯୋଗାଣ ହେଉଛି ଚୀନ ଓ ତୁର୍କୀରେ ତିଆରି ହେଉଥିବା ଦାମିକା ଅସ୍ତ୍ରଶସ୍ତ୍ର, ଯାହା ପାକିସ୍ତାନ ଦେଇ ଆସୁଛି । ଦିଲ୍ଲୀ ପୋଲିସ୍ ଏନେଇ ଖୁଲସା କରିଛି ।

ନିକଟରେ ଦିଲ୍ଲୀ ପୋଲିସ ଏକ ଅନ୍ତର୍ଜାତୀୟ ବେଆଇନ ଅସ୍ତ୍ର ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କରିଛି । ଏହି ରାକେଟ ଚୀନ ଓ ତୁର୍କୀରେ ତିଆରି ଅସ୍ତ୍ରଶସ୍ତ୍ର ଭାରତକୁ ଯୋଗାଣ କରୁଥିଲେ । ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ଏଥିରେ ମଧ୍ୟସ୍ଥି ସାଜିଛି । ISI ସହିତ ଜଡିତ ଏହି ସିଣ୍ଡିକେଟ୍ ପାକିସ୍ତାନ ଦେଇ ଭାରତକୁ ଚୀନ୍ ଓ ତୁର୍କୀରେ ତିଆରି ଉଚ୍ଚମାନର ବନ୍ଧୁକ ଯୋଗାଣ କରୁଥିବା ପୋଲିସ୍ ଅଧିକାରୀମାନେ କହିଛନ୍ତି ।

ପୋଲିସ ଏହି ଗ୍ୟାଙ୍ଗର ଚାରି ପ୍ରମୁଖ ସଦସ୍ୟଙ୍କୁ ଗିରଫ କରିବା ସହ ୧୦ଟି ଦାମୀ ବିଦେଶୀ ପିସ୍ତଲ ଏବଂ ୯୨ଟି ଅଫୁଟା ଗୁଳି ଜବତ କରିଛି । ଅଧିକାରୀମାନେ କହିଛନ୍ତି ଯେ ଏହି ଅସ୍ତ୍ରଶସ୍ତ୍ର ଦିଲ୍ଲୀ ଏବଂ ଆଖପାଖ ରାଜ୍ୟର ଅପରାଧୀଙ୍କୁ ଯୋଗାଇ ଦିଆଯାଉଥିଲା ।

ପୋଲିସ ଏବେ ଭାରତରେ କେତେ ଅସ୍ତ୍ରଶସ୍ତ୍ର ବିକ୍ରି ହୋଇଛି ଏବଂ ଏହି ବେଆଇନ ରାକେଟରେ ସାମିଲ ଥିବା ଗ୍ୟାଙ୍ଗକୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ସୁରକ୍ଷା ଏଜେନ୍ସି ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏଥିରେ ଆଉ କାହାର ଲିଙ୍କ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories