ଭକ୍ତଙ୍କ ବିଭୀଷଣ ଉପାଖ୍ୟାନ: ଚର୍ଚ୍ଚାରେ ନିରଞ୍ଜନ

ଭକ୍ତଙ୍କ ବିଭୀଷଣ ଉପାଖ୍ୟାନ

ଭୁବନେଶ୍ବର: କଂଗ୍ରେସରେ କନ୍ଦଳ । ବଢୁଛି ବିବାଦ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବିଭୀଷଣ ମନ୍ତବ୍ୟ ଓ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଚିଠି ପରେ ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ନେତା । ଭକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନେଇ ଶୃଙ୍ଖଳା କମିଟିକୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ଦୁଇ ବରିଷ୍ଠ ନେତା ତଥା ପିସିସିର ଦୁଇ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା । ଦୁଇ ନେତାଙ୍କ ବୟାନ ଦଳୀୟ କନ୍ଦଳ ଚର୍ଚ୍ଚାକୁ ଆଉ ପାଦେ ଆଗକୁ ନେଇଛି । ସାପ ମରିବନି କି ବାଡ଼ି ଭାଙ୍ଗିବନି ପଲିସିରେ ବୟାନ ଦେଉଛନ୍ତି ନେତା । ଯଦିଓ ଅତ୍ୟନ୍ତ ସତର୍କତାର ସହ ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଛନ୍ତି ତେବେ ତେରେଛା ମନ୍ତବ୍ୟ ଅଡୁଆ ସ୍ଥିତି ସୃଷ୍ଟି କରୁଛି ।

ଭକ୍ତଙ୍କ ବିଭୀଷଣ ମନ୍ତବ୍ୟ ନେଇ ପିସିସିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବିଭୀଷଣ ଅସତ୍ୟ ନୁହେଁ ସତ୍ୟ ପଥରେ ଥିଲେ । ବିଭୀଷଣ ପ୍ରଭୁ ରାମଚନ୍ଦ୍ରଙ୍କ ସାଙ୍ଗରେ ଥିଲେ । ଦଳ ଭିତରେ ଯଦି କିଏ ଦଳକୁ କ୍ଷତି ପହଞ୍ଚାଇଲା ଭଳି କାମ କରେ ତାଙ୍କୁ ଦଳ ବିରୋଧୀ କୁହାଯାଏ । ଦଳ ବିରୋଧୀଙ୍କ ପ୍ରତି ବିଭୀଷଣ ମନ୍ତବ୍ୟ ଯଥାର୍ଥ ନୁହେଁ । ତେବେ ଏ କଥା ମନେ ରଖିବା ଉଚିତ ଯେ କେହି ଦଳବିରୋଧୀ କାମ କରି ପ୍ରମାଣିତ ହେଲେ ଓ ଧରାପଡ଼ିଲେ ଦଳର ମୁଖିଆ ହିସାବରେ କାର୍ଯ୍ୟାନୁଷ୍ଠାନ ନେବାର ଯଥେଷ୍ଟ ଅଧିକାର ଦଳ ମୁଖିଆଙ୍କ ରହିଛି । ତେଣୁ ଯେକୌଣସି ମନ୍ତବ୍ୟ ଯିଏ ବି ଦିଅନ୍ତୁ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଅନୁସନ୍ଧାନ କରି ପ୍ରତିକ୍ରିୟା ଦେବା ଉଚିତ ।

ବିନା ଅନୁସନ୍ଧାନରେ କାହାକୁ ଆରୋପ ଲଗାଇବା ଠିକ ନୁହେଁ । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦଳର କନ୍ଦଳ କୁ ପଦାରେ ପକାଇବା ଅପେକ୍ଷା ଦଳ କେମିତି ମଜଭୁତ ହେବ ସେ ନେଇ ସମସ୍ତେ ଏକାଠି ହୋଇ ଆଲୋଚନା କରିବା ଉଚିତ । ମୁଳଦୂଆ ମଜଭୁତ ଉପରେ ଫୋକସ କଲେ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ ହୋଇପାରିବ, ଗ୍ରାଉଣ୍ଡରେ କର୍ମୀ ଓ ନେତାଙ୍କ ମନୋବଳ ବଢ଼ିବ । ନିର୍ବାଚନ ଫଳାଫଳର ଆତ୍ମସମୀକ୍ଷା କରାଯିବା ଆବଶ୍ୟକ । ଆରୋପ ପ୍ରତ୍ୟାରୋପ ଛାଡ଼ି ଆଗକୁ ଦଳ କେମିତି ମଜଭୁତ ହେବ ସେ ନେଇ ଆଲୋଚନା କରାଯିବା ଉଚିତ । ଦଳକୁ କ୍ଷତି ପହଞ୍ଚାଇଲା ଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ତେବେ ଗୋଟିଏ ପଟେ ଭକ୍ତଙ୍କ ବିଭୀଷଣ ଉପାଖ୍ୟାନ ଠିକ ନୁହେଁ ବୋଲି କହିବା ଓ ଅନ୍ୟପଟେ ବିଭୀଷଣଙ୍କୁ ଭଲ ବନ୍ଧୁ ବୋଲି ଦର୍ଶାଇବା ନିରଞ୍ଜନଙ୍କ ଦଳପଙ୍କ ରାଜନୀତି । ଉଭୟଙ୍କୁ ସୁହାଇଲା ଭଳି ମନ୍ତବ୍ୟ ଦେଇଛନ୍ତି ନିରଞ୍ଜନ । ଏଥିସହ ଉଭୟ ନେତାଙ୍କ ସୀମା ସରହଦ ନେଇ ପରୋକ୍ଷରେ ନିରଞ୍ଜନଙ୍କ ମନ୍ତବ୍ୟରୁ ଜଣାପଡୁଥିବା ରାଜନୈତିକ ସମୀକ୍ଷକଙ୍କ ମତ । ଗତ କିଛି ଦିନ ଧରି ଭକ୍ତଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତି ଜାହିର କରୁଥିବାବେଳେ ଏବେ ବିଭୀଷଣ ଉପାଖ୍ୟାନ ଅଡୁଆ ସ୍ଥିତି ସୃଷ୍ଟି କରିଛି । ହାଇକମାଣ୍ଡଙ୍କ ନିଷ୍ପତ୍ତି ଓ ନେତାଙ୍କ ଆଗାମୀ କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କ ନଜର ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories