ଭୁବନେଶ୍ବର: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ବିବାଦ ଥମିବାର ନାଁ ଧରୁନି । ମେଡ଼ିକାଲରୁ ଘର ଯାଏଁ ଚାଲିଛି ବିବାଦ । ଏହି ବିବାଦ ଧିରେ ଧିରେ ଉଗ୍ରରୂପ ନେଉଛି ବରଂ ଥମୁନି । ସୋସିଆଲ ମିଡ଼ିଆରେ ବୟାନ ବାଜି ଠାରୁ ଆରମ୍ଭ କରି ଜଷ୍ଟିସ ଫର୍ ହ୍ୟୁମାନ ଭଳି ଟ୍ରେଣ୍ଡ ଏବେ ଚାଲିଛି । ଗୋଟିଏ ପ୍ରଶ୍ନ ହ୍ୟୁମାନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ । ଧିରେ ଧିରେ ଅଡ଼ୁଆ ସୂତାରେ ଖୀଅ ହେବା ଭଳି ଲାଗୁଛି ହ୍ୟୁମାନଙ୍କ ମୃତ୍ୟୁ । ମୃତଦେହ ମେଡ଼ିକାଲରେ ପଡ଼ିବା ସମୟରୁ ଆରମ୍ଭ ହୋଇଛି ଏହି ବିବାଦ । ଏ ସବୁ କାହାକୁ ବା ଅଛପା ନାହିଁ । ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରୁ ବୁଲୁଛି ତାଙ୍କ ମା’ଙ୍କ ବୟାନ ।
ଏହା ଖାଲି ବୟାନ ନୁହେଁ ବରଂ ହ୍ୟୁମାନଙ୍କ ମୃତ୍ୟୁ ପରେ ରହସ୍ୟ ଉପରୁ ଯେମିତି କେହି ଜଣେ ପରଦା ଉଠାଇବା ଭଳି ଲାଗୁଛି । ତାଙ୍କ ମା’ ଆଣିଥିବା ୩ଜଣଙ୍କ ନାଁ ଏବେ ଚର୍ଚ୍ଚାରେ । ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି । ଅନ୍ୟପକ୍ଷେ ମ୍ୟାନେଜର ମଧ୍ୟ ତାଙ୍କ ମା’ ଏବଂ ପରିବାରକୁ ହ୍ୟୁମାନଙ୍କ ମୃତ୍ୟୁର କାରଣ କହିଛନ୍ତି । ଏପରି କି ତାଙ୍କ ମା’ଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି । ଯାହାକୁ ନେଇ ଏବେ ପ୍ରାୟ ସମସ୍ତେ ନିନ୍ଦା କରୁଛନ୍ତି ।
ଅନପଟେ ଏବେ ତାଙ୍କ ଗୁରୁ ପ୍ରେମ୍ ଆନନ୍ଦ କହୁଛନ୍ତି ତାଙ୍କ ମୃତ୍ୟୁର ତଦନ୍ତ ହେଉ । ପ୍ରେମ୍ ଆନନ୍ଦ କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋଶନାଲ ଟ୍ରାପ୍ କରାଯାଉଥିଲା । ତାଙ୍କ ଅସୁସ୍ଥତା କଷ୍ଟ ଦେଉଥିଲା । ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ୍ ନୁହେଁ । ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମା’ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ ତାଙ୍କର ବୟାନରେ କହିଛନ୍ତି ।
ଯଦି ଦେଖିବା ଏହାରି ଭିତରେ ଏହି ଘଟଣାରେ ହ୍ୟୁମାନଙ୍କ ଦୁଇ ଜଣ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ଏତଲାରେ କୁହାଯାଇଛି ଯେ, ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି । ବଲାଙ୍ଗୀରର ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହ୍ୟୁମାନଙ୍କ ମା’ଙ୍କୁ ର୍ଦୁବ୍ୟବହାର ନେଇ ମଧ୍ୟ ଅଭିଯୋଗ ହୋଇଛି । ତେବେ ଏ ସବୁ ଭିତରେ ଏବେ ଗୋଟିଏ ଟ୍ରେଣ୍ଡ୍ ଜଷ୍ଟିସ୍ ଫର୍ ହ୍ୟୁମାନ । ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? କେବେ ଉଠିବ ହ୍ୟୁମାନଙ୍କ ମୃତ୍ୟୁ ଉପରୁ ପରଦା ତାହାକୁ ଓଡ଼ିଶାବାସୀ ଏବେ ଅପେକ୍ଷା କରିଛନ୍ତି ।







