ମଚାଇ ଥିଲେ ଆତଙ୍କ, ଏନକାଉଣ୍ଟର କଲା ପୋଲିସ

 ମଚାଇ ଥିଲେ ଆତଙ୍କ

ଲୁଟପାଟ, ଚୋରୀ, ଡକାୟତୀ ଓ ଛିନ୍ତାଇ କରି ଆତଙ୍କ ମଚାଇଥିବା ୩ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ରାଉରକେଲା କୁଚେଇତା ଓ ଲାମ୍‌ସୀ ନିକଟରେ ଏମାନଙ୍କୁ ଏନକାଉଣ୍ଟର କରାଯାଇଛି । ଏନକାଉଣ୍ଟର ପରେ ୩ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକ ଲୁଟପାତରେ ସାମିଲ ଥିଲେ ଏହି କୁଖ୍ୟାତ ଅପରାଧୀ । ଏମାନଙ୍କର ଏକ ୮ ଜଣିଆ ଗ୍ୟାଙ୍ଗ୍ ରହିଛି । ଏହି ଗ୍ୟାଙ୍ଗ୍ ଜିଲ୍ଲାର ୪ ବଡ଼ଧରଣର ଲୁଟପାତରେ ସାମିଲ ଥିଲେ । କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରେ ଡକାୟତି ମାମଲାରେ ସମ୍ପୃକ୍ତି ରହିଛି ।

ଏମାନଙ୍କୁ ଧରିବା ପାଇଁ ରାଉରକେଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ମାତ୍ର ଏମାନେ ପୋଲିସକୁ ଚକ୍‌ମା ଦେଇ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଏନକାଉଣ୍ଟର କରିଛି ପୋଲିସ । ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସମସ୍ତେ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏଥିସହ ୩ଟି ପିସ୍ତଲ୍ ଓ ଗୋଟିଏ ବାଇକ୍ ଜବତ କରିଛି ।

ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ରାଉଲକେଲା ପୋଲିସର ‘ଅପରେସନ ଧରପଗଡ଼’ ଜାରି ରହିଛି । ଗତକାଲି ମଧ୍ୟ ପୋଲିସ ଏକ ବେଆଇନ ବାଲି ଚୋରାଚାଲାଣ ଖାଦାନରେ ଚଢାଇ କରି  ଏକାଧିକ ଟ୍ରକ୍ ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେହିପରି ବନମୁଣ୍ଡା ପୋଲିସ ପାଟ୍ରୋଲିଂ କରି ଏକ ସଟ୍ଟା ରାକେଟ ଠାବ କରିଥିଲା । ଏଥିରେ ସଟ୍ଟା ଖେଳୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୧,୨୪୦ ଟଙ୍କା ସହ ମୋବାଇଲ ଫୋନ୍ ଜବତ କରିଛି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories