ମନ ମୋହୁଛି ଜଗନ୍ନାଥ ବନ ପ୍ରକଳ୍ପ ଓ ବାବାଙ୍କ ଆବିର୍ଭାବ, ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ମନ ମୋହୁଛି ଜଗନ୍ନାଥ ବନ ପ୍ରକଳ୍ପ

ବୌଦ୍ଧ/ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ଶୀତ ଋତୁ ଆସିଲେ ପ୍ରକୃତିର ମୂଲ୍ୟବାନ ମୁହୂର୍ତ୍ତ କାଟିବାକୁ ମନ ମୋହୁଛି l ଏହି ଅନୁଭୂତିକୁ ଆକର୍ଷଣୀୟ କରୁଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ଼ର ଜଗନ୍ନାଥ ବନ ପ୍ରକଳ୍ପ l ଏହା ଏମିତି ଏକ ସ୍ଥାନ ଯେଉଁଠାରେ ପ୍ରକୃତି, ଧାର୍ମିକତା ଓ ପାରମ୍ପରିକ ଐତିହ୍ୟ ଏକାଠି ଜୀବନ୍ତ ହୋଇଉଠିଛି l ପୁରୀ ଘୋଷ ଯାତ୍ରାକୁ ନେଇ ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ରାମଗଡ଼ସ୍ଥିତ ମହାନଦୀ କୂଳରେ ପ୍ରାୟ ୫୦୦ ଏକର ଜମିରେ ବନ ପ୍ରକଳ୍ପ ସୃଷ୍ଟି କରାଇଥିଲେ l ଅଶନ, ଫାଶୀ, ଗମ୍ଭାରୀ ଭଳି ଗଛଗୁଡିକ ସତେ ଯେମିତି ଆକାଶକୁ ଛୁଇଁବାକୁ ହାତ ଟେକିଛି l ପୌରାଣିକ ଗୌରବ ସହିତ ସମ୍ପୃକ୍ତ ଏହି ପୀଠ ଆଜି ପର୍ଯ୍ୟଟକଙ୍କୁ କେବଳ ଚମତ୍କୃତ କରୁନି, ଏହା ପ୍ରକୃତି ସଂରକ୍ଷଣର ଏକ ସଫଳ ମୂଦ୍ରା ହୋଇ ଉଠିଛି l ଘନ ଜଙ୍ଗଲ, ନୌ ବିହାର, ମହାନଦୀର କୁଳୁକୁଳୁ ନାଦ ସହ ପକ୍ଷୀଙ୍କ ସୁମଧୁର ସ୍ୱର, ନିର୍ଜନ ବନାନୀ ବଣଭୋଜି ଓ ପ୍ରକୃତି ଉପଭୋଗ କରିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ପର୍ଯ୍ୟଟକ ଙ୍କୁ ଟାଣି ଆଣିଥାଏ l ନଭେମ୍ବର ମାସରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମହାନଦୀ କୂଳ ଭରିଯାଏ ପର୍ଯ୍ୟଟକଙ୍କ ହସରେ l ଦୂରଦୂରାନ୍ତରୁ ପରିବାର, ଯୁବ ଗୋଷ୍ଠୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏଠି ବଣଭୋଜିର ମଜା ଉଠାନ୍ତି l

ପିକନିକ ସ୍ପଟକୁ ନେଇ ଜିଲ୍ଲା ପ୍ରଶାସନ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା ବୋର୍ଡ ଲଗାଇ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରିଥିଲେ l କିନ୍ତୁ ବର୍ତ୍ତମାନ ବନ ପ୍ରକଳ୍ପର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡିରହୁଛି l ଫଳରେ ପରିବେଶ ସହିତ ନିଜର ସୌନ୍ଦର୍ଯ୍ୟ ହରାଉଛି ଜଗନ୍ନାଥ ବନ ପ୍ରକଳ୍ପ l ଅନ୍ୟପଟେ ଅନୀତି ଦୂରରେ ପାତାଳି ଆବିର୍ଭାବ ବାବା କେଦାରେଶ୍ୱର ଶୈବପୀଠ ଆଧ୍ୟାତ୍ମିକତା ଓ ରହସ୍ୟର ଅଦ୍ଭୁତ ସମିଶ୍ରଣ l ଜଗନ୍ନାଥ ବନ ପ୍ରକଳ୍ପ ସମୀପରେ ଅବସ୍ଥିତ ମହାନଦୀ ପଠାର ବାବା କେଦାରେଶ୍ୱର ଶୈବପୀଠ ଅନ୍ୟତମ ମୂଖ୍ୟ ଆକର୍ଷଣ l ପ୍ରାୟ ୨୦ ଫୁଟ ମାଟି ତଳେ ଲିଙ୍ଗମୂର୍ତ୍ତି ରହିଥିବା ବେଳେ ଗର୍ଭଗୃହ ଗୁମ୍ଫା ସଦୃଶ ଓ ଚୁଡା କେବଳ ମାଟିର ଉପରି ଭାଗରେ ଅତ୍ୟନ୍ତ ଅଦ୍ଭୁତ l ମନ୍ଦିରର ତାମ୍ର ପତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ ରାଜୁଡା ସମୟରେ ରାଜା ଚନ୍ଦ୍ର ଶେଖର ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ l

ଲୋକ କଥାରେ ମହାନଦୀ ଅପର ପାର୍ଶ୍ୱରୁ ଏକ କଳା ଗାଈ ପ୍ରତିଦିନ ଆସି ବାବାଙ୍କ ମସ୍ତକରେ କ୍ଷୀର ଦେଇ ଚାଲିଯାଏ l ଶେଷରେ ଗଉଡ଼ ଏହା ଦେଖି ବର୍ତ୍ତମାନ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ରାଜାଙ୍କୁ ଖବର ଦେଇଥିଲେ l ଆଠମଲ୍ଲିକର ରାଜା ଶିବ ଲିଙ୍ଗକୁ ନେବା ପାଇଁ ଯେତେ ଖୋଳିଲେ ସେତେ ମାଟି ତଳକୁ ପୋତି ହେଉଥିବାରୁ ଶେଷରେ ରାଜ ଚନ୍ଦ୍ରଶେଖରଙ୍କୁ ଆବିର୍ଭାବ ଶିବଲିଙ୍ଗ ବିଷୟରେ ଖବର ପଠାଇଥିଲେ l ରାଜା ଚନ୍ଦ୍ରଶେଖର ମହାନଦୀ କୂଳର ସେହି ସ୍ଥାନରେ ମନ୍ଦିର ନିର୍ମାଣ ସହିତ ବୃନ୍ଦାବନ ନାମକ ପୂଜାରୀଙ୍କୁ ପୂଜା ପାଇଁ ଦାୟିତ୍ୱ ଦେଇଥିଲେ l ବର୍ତ୍ତମାନ ପୂଜାରୀଙ୍କ ପୂର୍ବ ବଂଶଜମାନେ ବାବା କେଦାରେଶ୍ୱରଙ୍କୁ ପୂଜାକାରୀ ଆସୁଛନ୍ତି l ପୀଠ ପରିସରରେ ହଜାର ହଜାର ବାଦୁଡ଼ିଙ୍କ ବସତି ଏଠାକୁ ପ୍ରକୃତି ପ୍ରେମୀମାନଙ୍କୁ ମଧ୍ୟ ବିମୋହିତ କରେ l ସନ୍ଧ୍ୟା ସମୟରେ ବାଦୁଡ଼ି ଗୋଷ୍ଠୀଙ୍କ ଉଡ଼ାନ ମନ ମୋହିଥାଏ l

ବର୍ତ୍ତମାନ ମନ୍ଦିର ପରିସରରେ ହନୁମାନ ମନ୍ଦିର, ପାର୍ବତୀ ମନ୍ଦିର ଶନିଦେବ ମନ୍ଦିର, ମୁଖ୍ୟ ଫାଟକ ଥିବାବେଳେ ପରିବେଶ ପରିଷ୍କାର ଓ ମନ୍ଦିର ଉନ୍ନତି ସହିତ ପାଚେରୀର ଆବଶ୍ୟକତା ରହିଛି l ଶୈବ ପୀଠର ଅନ୍ୟ ଏକ ଅଲୌକିକ ଘଟଣା ମହାଦେବଙ୍କ ପାଦୁକ କୁଣ୍ଡ ନ ଥିବା ବେଳେ ଆଜି ପର୍ଯ୍ୟନ୍ତ କେହି ଜାଣିପାରୁନାଁହାନ୍ତି ପାଦୁକ ଯାଉଛି କୁଆଡେ l ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଓ ବାବା କେଦାରେଶ୍ୱର ଶୈବ ପୀଠକୁ ଆସିବାକୁ ହେଲେ ବୌଦ୍ଧ ଠାରୁ ଐତିହାସିକ ଜଗନ୍ନାଥ ସଡ଼କରେ ୨୨ କି.ମି ଏବଂ ପୁରୁଣାକଟକ ଠାରୁ ୧୫ କି.ମି ରାମଗଡ ମହାନଦୀ କୂଳକୁ ଯିବାକୁ ପଡେ l

ରାମଗଡର ଜଗନ୍ନାଥ ବନ ପ୍ରକଳ୍ପ ଆଜି ପ୍ରକୃତି ପ୍ରେମୀ, ବଣଭୋଜି ପ୍ରେମୀ ଓ ଧାର୍ମିକ ଯାତ୍ରୀଙ୍କ ପାଇଁ ଏକ ପରିପୂର୍ଣ୍ଣ ଗନ୍ତବ୍ୟସ୍ଥଳ l ମହାନଦୀର ଶାନ୍ତି, ଘଞ୍ଚ ବନାନୀର ନିର୍ଜନତା, ବାବା କେଦାରେଶ୍ୱରଙ୍କ ରହସ୍ୟମୟ ଆବିର୍ଭାବ ରାମଗଡ଼ ଗ୍ରାମକୁ ଏକ ଅଦ୍ୱିତୀୟ ପର୍ଯ୍ୟଟନକ୍ଷେତ୍ରରେ ପରିଣତ କରିଛି l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories