କଳା ଜଗତରେ ଏକ ଯୁଗର ଅବସାନ ଘଟିଲା । ୬୦ ଦଶକରୁ ଅଭିନୟ ଯାଦୁରେ କିମିଆ କରିଥିବା ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଚାଲିଗଲେ । ମୁମ୍ବାଇ ସ୍ଥିତ ବାସଭବନରେ ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବଲିଉଡ଼ ତଥା ସମଗ୍ର ସିନେ ପ୍ରେମୀଙ୍କ ମନରେ ଶୋକର ଛାୟା ଖେଳି ଯାଇଛି ।
ଚଳିତ ମାସ ଧର୍ମେଙ୍କୁ ଅସୁସ୍ଥତା କାରଣରୁ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏକାଧିକ ବାର୍ଦ୍ଧକ୍ୟ ଜନିତ ରୋଗ ଥିଲା । କିଛି ଦିନ ହେବ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ, ମାତ୍ର ଆଜି ସବୁ ଦିନ ପାଇଁ ଆଖି ବୁଜିଛନ୍ତି ଧର୍ମେନ୍ଦ୍ର । ୬୦ ଦଶକରୁ ଅଭିନୟର ଛାପ ଛାଡ଼ି ଯାଇଥିବା ଧର୍ମେନ୍ଦ୍ରଙ୍କୁ ଶେଷ ଥର ପାଇଁ ପରଦାରେ ଦେଖିବାର ସୁଯୋଗ ପାଇବେ ଫ୍ୟାନ୍ସ । ସେ ଅଭିନୟ କରିଥିବା ସିନେମା ‘Ikkis’ ଡିସେମ୍ବର ୨୫ରେ ରିଲିଜ୍ ହେବାକୁ ଯାଉଛି ।
ଭାରତୀୟ ସିନେମାର କିମ୍ବଦନ୍ତୀ ତାରକା ଭାବରେ ଗଣାଯାଉଥିବା କଳାକାରଙ୍କ ମଧ୍ୟରେ ଧର୍ମେନ୍ଦ୍ର ଥିଲେ ଅନ୍ୟତମ । ସେ ୧୯୬୦ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଦିଲ୍ ଭି ତେରା ହମ୍ ଭି ତେରେ’ରୁ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ‘ଶୋଲେ’, ‘ୟାଦୋନ୍ କି ବାରାତ୍’, ‘ମେରା ଗାଓଁ ମେରା ଦେଶ’, ‘ପ୍ରତିଜ୍ଞାା’, ‘ଚୁପକେ ଚୁପକେ’, ନୌକର ବିୱି କା, ଫୁଲ୍ ଔର୍ ପଥର, ‘ସତ୍ୟକମ୍’, ‘ଆଏ ମିଲାନ୍ କି ବେଲା’, ‘ଦିଲ୍ ନେ ଫିର ୟାଦ କିୟା’, ‘ଆଏ ଦିନ୍ ବାହା କେ’, ‘ଆଖେଁ’, ‘ଆୟା ସାୱାନ୍ ଝୁମ୍ କେ’, ‘ଜୀବନ ମୃତ୍ୟୁ’, ‘ଜୁଗନୁ’, ‘ଧରମ ବୀର’, ‘ଆଜାଦ’ ଓ ‘ଅପ୍ନେ’ ଭଳି ସିନେପାରେ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ।
କଳା ଜଗତରେ ଉତ୍କୃଷ୍ଟତା ପାଇଁ ତାଙ୍କୁ ୨୦୧୨ରେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ଏଥିସହ ଫିଲ୍ମଫେୟାର ଆୱାର୍ଡରେ ଶ୍ରେଷ୍ଠ ଅଭିନେତା ସମ୍ମାନ ମଧ୍ୟ ପାଇଥିଲେ । ଅଭିନୟ ସହ ଦେଶରେ ସାମ୍ବିଧାନିକ ପଦବୀରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ଧର୍ମେନ୍ଦ୍ର । ସେ ଲୋକସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ପରିବାରରେ ତାଙ୍କର ଦୁଇ ପତ୍ନୀ, ପ୍ରକାଶ କୌର ଏବଂ ହେମା ମାଳିନୀ ଅଛନ୍ତି । ସେମାନଙ୍କଠାରୁ ତାଙ୍କର ଛଅ ସନ୍ତାନ – ଅଭିନେତା ସନି ଦେଓଲ, ବବି ଦେଓଲ, ଏଶା ଦେଓଲ ଓ ଆହାନା ଦେଓଲ, ଅଜିତା ଓ ବିଜେତା ଅଛନ୍ତି।








