କଲବଲ କରୁଛି କେନାଲ ଗନ୍ଧ, ନାକରେ ହାତ ନଦେଲେ ଚାଲି ହେଉନି ବାଟ

କଲବଲ କରୁଛି କେନାଲ ଗନ୍ଧ

ତାଳଚେର(ବିଜୟ କୁମାର ଦେବତା): ତାଳଚେର ସହର ଦେଇ ଯାଇଥିବା ମୁଖ୍ୟ ରେଙ୍ଗାଳୀ ଦକ୍ଷିଣ କେନାଲ ଏବେ ପରିତ୍ୟକ୍ତ ଅବସ୍ଥାରେ । ବର୍ଷାଋତୁ ସତ୍ୱେ ବି କେନାଲରେ ଜଳ ପ୍ରଭାବିତ ହେଉଛି; କିନ୍ତୁ ଅଳିଆ ଆବର୍ଜନା ସହିତ ଦଳ ଓ ଅନାବନା ପାଣିଜାତୀୟ ଲଟାରେ ପୋତା ପୁରି ରହିଛି । ତାଳଚେରର ଏହି ମୁଖ୍ୟ କେନାଲ ଉପରେ ତାଳଚେର ସହରର ଆଖପାଖ ପ୍ରାୟ ୱାର୍ଡ଼ବାସୀ ଏବଂ ନିକଟବର୍ତି ଗ୍ରାମ ଗୁଡ଼ିକ ମଧ୍ୟ ନିର୍ଭର କରି ଚଳିଆସୁଛନ୍ତି । କିନ୍ତୁ ବର୍ଷବର୍ଷ ଧରି କେନାଲରୁ ଦଳ, ଅନାବନା ଗଛ ତରୁଲଟା ସମେତ ଅଳିଆ ଆବର୍ଜନା ଗୁଡ଼ିକ ସଫା କରାଯାଉ ନଥିବାରୁ ଅଂଚଳବାସୀ ଦୈନନ୍ଦିନ ଚଳଣିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କଥା ହେଉଛି, ଯେଉଁ ଗ୍ରାମ ଗୁଡ଼ିକରେ ଜଳ ପଂଚିବାର ବ୍ୟବସ୍ଥା ନଥିଲା ଏବଂ ସେମାନେ ନିଜର ଚାଷବାସ କାର୍ଯ୍ୟ କ଼ରିବାକୁ ଅନେକ ସମୟରେ ନିବୃତ ରହୁଥିଲେ; ସେହି ଗ୍ରାମ ଗୁଡ଼ିକ କିପରି ସହଜରେ ଜଳ ପାଇପାରିବେ ଏସମସ୍ୟାକୁ ହୃଦୟଙ୍ଗମ କରି ସରକାରଙ୍କ ପକ୍ଷରୁ ଏହି କେନାଲ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ତେବେ ଏହି କେନାଲର ନିକଟରେ ରହିଥିବା ସହର ୱାର୍ଡ଼ବାସୀ କିମ୍ବା ଗ୍ରାମାଚଂଳ ଲୋକେ ନିର୍ଭର କରି ଏହି ଜଳକୁ ନିଜ ଘରୋଇ କାର୍ଯ୍ୟରେ ବ୍ୟବହାର କରିବା ସହିତ ଗ୍ରାମାଚଂଳର ଚାଷୀମାନେ ମଧ୍ୟ ନିଜ ଚାଷକାର୍ଯ୍ୟରେ ଏହି ଜଳ ବ୍ୟବହୃତ କରୁଛନ୍ତି । ରେଙ୍ଗାଳୀ ଦକ୍ଷିଣ କେନାଲ ବିଭାଗଙ୍କ ପକ୍ଷରୁ ଦର୍ଶାଯାଇଛି କି, କେନାଲ ଭିତରକୁ କୌଣସି ବର୍ଯ୍ୟବସ୍ତୁ ପକାନ୍ତୁ ନାହିଁ । ଏହି କେନାଲର ପାଣିକୁ ଜଳସେଚନ ସହିତ ପାଶ୍ୱର୍ବ ଗ୍ରାମବାସୀମାନେ ଗାଧୋଇବା ଏବଂ ପିଇବାରେ ବ୍ୟବହାର କରନ୍ତି । ତେଣୁ ଏହାକୁ ପରିଷ୍କାର ରଖିବା ଆମ ସମସ୍ତଙ୍କ କାର୍ଯ୍ୟ, ଏହା ସ୍ପଷ୍ଟ ବୋର୍ଡ଼ରେ ଲେଖାଯାଇ କେନାଲ ପାଶ୍ୱର୍ରେ ବୋର୍ଡ଼ଟି ମଧ୍ୟ ଲଗାଯାଇଛି, ହେଲେ ଏହା କାର୍ଯ୍ୟକାରୀ ହେଉନଥିବା ଏକ ପରିତାପର ବିଷୟ ।

ଅପରପକ୍ଷେ ପୌରପରିଷଦ ଅଂଚଳରେ ଏହି କେନାଲଟି ଯାଇଥିବାରୁ ପୌରପରିଷଦ ପକ୍ଷରୁ ପରିଷ୍କାର ପରିଚ୍ଛନ୍ନତା ରଖିବାର କାର୍ଯ୍ୟଭାର ତୁଲାଇବା କଥା, ମାତ୍ର ତାହା ଦେଖିବାକୁ ମିଳୁନାହିଁ କିମ୍ବା ରେଙ୍ଗାଳୀ ଦକ୍ଷିଣ କେନାଲ ବିଭାଗ ପକ୍ଷରୁ କେନାଲ ସଫାସୁତରା ଉପରେ କୌଣସି ସେମିତି ତତ୍ପରତା ଦେଖାଉନଥିବା ନିକଟବର୍ତି ଅଂଚଳବାସୀଙ୍କ ମୁହଁରୁ ଶୁଣିବାକୁ ମିଳେ । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟଗତ ଦିଗ ଉପରେ ଦୃଷ୍ଟି ଦେଇ ଜିଲ୍ଳା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories