ଯେଉଁଠି ମଣିଷ ପାଲଟେ ଦେବତା, ଉଡିଯାଇଛି କର୍ପୁର, ପଡ଼ିଛି କନା

ଯେଉଁଠି ମଣିଷ ପାଲଟେ ଦେବତା, ଉଡିଯାଇଛି କର୍ପୁର, ପଡ଼ିଛି କନା

ବୌଦ୍ଧ/ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ଓଡିଶା ଗଜପତି ତୃତୀୟ ଅନଙ୍ଗଭୀମ ଦେବ ଅପୁତ୍ରିକ ଦୋଷରୁ ମୁକ୍ତି ପାଇବା ପାଇଁ ମହାନଦୀର ଉଭୟ କୂଳରେ ୧୦୮ଟି ଶୈବ ମନ୍ଦିର ନିର୍ମାଣ କରିଥିଲେ l ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗାସ୍ଥିତ ବାବା ଆଦେଶ୍ଵର ଶୈବ ପୀଠ ଅନ୍ୟତମ l ପୂର୍ବକାଳରେ ଶିବ ମନ୍ଦିରଟି ନଦୀକୂଳରେ ଥିବା କାରଣରୁ ମନ୍ଦିର ଭାଙ୍ଗିଗଲା ଏବଂ ସ୍ଥାପିତ ଶିବ ଲିଙ୍ଗ ମଧ୍ୟ ଭାଙ୍ଗିଗଲା l ହର ଭାଙ୍ଗିଥିବା ସ୍ଥାନର ନାମ ପରବର୍ତ୍ତୀ କାଳରେ ହରଭଙ୍ଗା ନାମରେ ପରିଚିତ ହୋଇଥିଲା l ଏହି ସ୍ଥାନର ପୁରାତନ ନାମ ହେଲା ଦନାୟକ ଖୋଲ l ମତେ ପୁନର୍ବାର ସ୍ଥାପିତ କର ବୋଲି ତତ୍କାଳୀନ ଗ୍ରାମର ଗଡତିଆ ଆଦେଶ୍ୱର ଦନାୟକଙ୍କୁ ଭଗବାନ ହରଙ୍କ ସ୍ୱପ୍ନାଦେଶ ହେଲା l ବହୁବାର ହରଙ୍କ ଲିଙ୍ଗ ସ୍ଥାପନା କରାଯିବା ପରେ ମଧ୍ୟ ସ୍ଥାପନ ସମ୍ଭବ ହେଲା ନାହିଁ l ମୋ ସ୍ଥାପନ ପୂର୍ବରୁ ସେ ସ୍ଥାନରେ ଜଣେ ଜୀବନ୍ତ ମଣିଷର ସମାଧି ଦିଆଯାଉ ବୋଲି ଗଡ଼ତିଆଙ୍କୁ ପୁନର୍ବାର ସ୍ୱପ୍ନାଦେଶ ହେଲା l ତାପରେ ଗଡ଼ତିଆ ସମସ୍ତ ଜନସାଧାରଣଙ୍କୁ ସ୍ୱପ୍ନାଦେଶ ବିଷୟରେ କହିଥିଲେ l କିନ୍ତୁ କିଏ ବା କାହିଁକି ସମାଧି ନେବ l ଶେଷରେ ଆଦେଶ୍ୱର ଦନାୟକ ନିଜେ ସମାଧି ନେବା ପାଇଁ କଠୋର ନିଷ୍ପତ୍ତି ନେଇଥିଲେ l ବର୍ତ୍ତମାନ ମନ୍ଦିର ଥିବା ସ୍ଥାନରେ ସେ ସମାଧି ନେଇଥିଲେ l ପରବର୍ତ୍ତୀ ସମୟରେ ସମାଧି ଉପରେ ଲିଙ୍ଗ ସ୍ଥାପନ କରାଯାଇଥିଲା l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସ୍ଥାପିତ କରାଯାଇଥିବା ପ୍ରଭୁ ହର ଙ୍କ ଲିଙ୍ଗ ବାବା ଆଦେଶ୍ୱର ନାମରେ ପୂଜା ପାଉଛନ୍ତି l ସେଥିପାଇଁ ମନ୍ଦିର ସ୍ଥାନକୁ ବର୍ତ୍ତମାନ ମଧ୍ୟ ମେରିଆମୁଣ୍ଡା ବୋଲି କୁହାଯାଉଛି l

ଯେଉଁଠାରେ ମନୁଷ୍ୟ ଦେବତା ପାଲଟେ ସେହି ମାଟି ହେଉଛି ହରଭଙ୍ଗାର ମାଟି l ହରଭଙ୍ଗା ମାଟି ତ୍ୟାଗ, ତପସ୍ୟା ଓ ବଳିଦାନର ବାର୍ତ୍ତା ଦେଇଥାଏ l ଅଦ୍ୱିତୀୟ ଆଦେଶ୍ଵର ନାମରେ ଅନ୍ୟ କୌଣସି ସ୍ଥାନରେ ଭଗବାନ ଶିବଙ୍କ ଦୃଷ୍ଟିଗୋଚର ହୁଏ ନାହିଁ l ଆଦେଶ୍ଵର ଦନାୟକଙ୍କ ପୂର୍ବଜ ଗଣ ବୌଦ୍ଧ ରାଜାଙ୍କୁ ପତ୍ର ନିର୍ମିତ ଦନାରେ ପାଣି ପିଇବା ପାଇଁ ଦେଉଥିବାରୁ ରାଜାଙ୍କ ଦ୍ୱାରା ଦନାୟକ ଉପାଧିରେ ଭୂଷିତ ହୋଇଥିଲେ l ହରଭଙ୍ଗା ଗ୍ରାମର ସର୍ବପୁରାତନ ବସତି ଥିବା ସ୍ଥାନ ଦନାୟକଖୋଲ ବର୍ତ୍ତମାନ ମଧ୍ୟ ବିଦ୍ୟମାନ l

ପର୍ଯ୍ୟଟକମାନେ ବାବା ଆଦେଶ୍ଵରଙ୍କ ପୀଠକୁ ଯିବା ପାଇଁ ଖୋର୍ଦ୍ଧା- ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଚାରିଛକ ଠାରୁ ହରଭଙ୍ଗା ପୂର୍ତ୍ତବିଭାଗ ରାସ୍ତାରେ ୨୨ କି.ମି, ବୌଦ୍ଧ ଠାରୁ ପୂର୍ବ ଦିଗକୁ ଐତିହାସିକ ଜଗନ୍ନାଥ ସଡ଼କରେ ୪୨ କି.ମି ଏବଂ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରୁ ୨୧ କି.ମି ଯିବା ପରେ ହରଭଙ୍ଗାସ୍ଥିତ ବାବା ଆଦେଶ୍ଵରଙ୍କ ପୀଠରେ ପହଞ୍ଚି ପାରିବେ l ଜିଲ୍ଲା ପ୍ରଶାସନର ଅବହେଳା ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କ ବୈମାତୃକ ମନୋଭାବ ଯୋଗୁଁ ହରଭଙ୍ଗା ଆଜି ମଧ୍ୟ କର୍ପୁର ଶୁନ୍ୟ କପଡ଼ା ଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି l

 

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories