ଦେବ ଭୂମିରେ ପବିତ୍ରତା ବଜାୟ ରଖିବାକୁ ପଞ୍ଜାବ ସରକାର ଲାଗୁ କରିଛନ୍ତି ନୂଆ ନିୟମ । ଏଣିକି ରାଜ୍ୟର ତିନି ପ୍ରମୁଖ ସହରରେ ବିକ୍ରି ହୋଇ ପାରିବନି ମଦ, ମାଂସ ଓ ତମାଖୁ । କେବଳ ବିକ୍ରି ନୁହେଁ ସେବନ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।
ପଞ୍ଜାବ ବିଧାନସଭାରେ ବିଭିନ୍ନ ଧାର୍ମିକ ସ୍ଥଳରେ ମଦ, ମାଂସ ଓ ନିଶାଦ୍ରବ୍ୟ ବିକ୍ରୟ ଓ ସେବନ ନିଷେଧ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହି ସ୍ୱତନ୍ତ୍ର ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ଆନନ୍ଦପୁର ସାହିବରେ ଗୁରୁ ତେଗ ବାହାଦୁରଙ୍କ 350ତମ ଶହୀଦ ବାର୍ଷିକୀ ପାଳନ ଅବସରରେ ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଉପରେ ମୋହର ବାଜିଛି । ଆମ୍ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଞ୍ଜାବରେ ପହଞ୍ଚି ଗୁରୁ ତେଗ ବାହାଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ପ୍ରସ୍ତାବ ପରେ ରାଜ୍ୟର ପବିତ୍ର ଧାର୍ମିକ ସ୍ଥଳ ଅମୃତସର ସ୍ୱର୍ଣ୍ଣ ମନ୍ଦିର ଥିବା ଗଲିଆର ଅଞ୍ଚଳ, ଭତିଣ୍ଡାର ତଲୱାଣ୍ଡି ସାବୋ ଏବଂ ରୂପନଗର ସ୍ଥିତ ଆନନ୍ଦପୁର ସାାହିବରେ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକିି, ବିହାର ସମେତ ଗୁଜରାଟ, ମିଜୋରାମ ନାଗାଲାଣ୍ଡ ଏବଂ ଲାକ୍ଷ୍ୟାଦ୍ୱୀପରେ ମଦ ବ୍ୟାନ୍ କରାଯାଇଛି । 2016ରୁ ବିହାର ସରକାର ରାଜ୍ୟରେ ମଦ ବିକ୍ରି ଓ ସେବନ ଉପରେ କଟକଣା ଲଗାଇଥିଲେ ।








