ଗୌହାଟିରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜରେ ଲଜ୍ଜାଜନକ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ମାତ୍ର 140 ରନ୍ କରି ଅଲ୍ ଆଉଟ୍ ହୋଇଛି ଦଳ । ଫଳରେ ମ୍ୟାଚ୍ ସହ ସିରିଜ୍ ହାତେଇ ନେଇଛି ଦକ୍ଷିଣ ଆଫ୍ରିକା ।
ବର୍ଷାପାରା କ୍ରିକେଟ ଷ୍ଟାଡିୟମ ଗୌହାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଖେଳା ଯାଉଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 489 ରନ୍ କରିଥିଲା । ଭାରତ ତାର ପ୍ରଥମ ପାଳି ଆମ୍ଭ କରି ମାତ୍ର 201 ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ଏହାପରେ ଦ୍ୱିତୀୟ ଇନିଂସରେ 5 ୱିକେଟରେ 260 ରନ୍ କରି ପାଳି ଘୋଷଣା କରିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ପାଳିରେ ଭାରତ ଆହୁରି ଲଜ୍ଜାଜନକ ପ୍ରଦର୍ଶନ କରିଥିଲା ।
ମାତ୍ର 140 ରନରେ ସମସ୍ତ ୱିକେଟ୍ ଦେଇ ପରାଜୟ ବରଣ କରିଛି ଦଳ । ରବୀନ୍ଦ୍ର ଜାଡେଜାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟରଙ୍କ ବ୍ୟାଟ୍ ଚାଲି ନଥିଲା । ଜାଡେଜା 54 ରନ୍ କରିଥିଲେ । ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ ଦଳରେ ସୁଯୋଗ ପାଇଥିଲେ । ମାତ୍ର ସେମାନେ ବି କୌଣସି ଭଲ ପ୍ରଦର୍ଶନ କରିପାରୁ ନଥିଲେ । ଫଳରେ ଘରୋଇ ମାଟିରେ ଦଳ ମାଟି କାମୁଡିବାକୁ ବାଧ୍ୟ ହୋଇଛି ।
ସେପଟେ 25 ବର୍ଷ ପରେ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ଟେଷ୍ଟ ସିରିଜ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛି । 2000 ମସିହାରେ ତତ୍କାଳୀନ ଅଧିନାୟକ ହାନ୍ସି କ୍ରୋନେଜଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଭାରତ ମାଟିରେ ଟେଷ୍ଟ୍ ସିରିଜ୍ ଜିତିଥିଲା । ଏବେ ଦୀର୍ଘ 25 ବର୍ଷ ପରେ ତେମ୍ବା ବଭୁୁମାଙ୍କ ଟିମ୍ ଭାରତ ମାଟିରେ ଟେଷ୍ଟ୍ ସିରିଜ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛି ।
ଏପଟେ ଗୌତମ ଗମ୍ଭୀର କୋଚ୍ ହେବା ପରେ ଏହା ଦଳର ସବୁଠୁ ଲଜ୍ଜାଜନକ ପରାଜୟ । ପୂର୍ବ ବ୍ୟାଟର୍ ଏବଂ ଏବେର ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ ପ୍ରେମୀ ।








