ବିଦ୍ୟୁତ୍ ଆଘାତରେ ଦୁଇ ଛାତ୍ରଛାତ୍ରୀ ଗୁରୁତର, ସ୍କୁଲ୍ ଯିବା ବାଟରେ ଛିଣ୍ଡିପଡ଼ିଲା ସର୍ଭିସ୍ ତାର

ବିଦ୍ୟୁତ୍ ଆଘାତରେ ଦୁଇ ଛାତ୍ରଛାତ୍ରୀ ଗୁରୁତର

ଢେଙ୍କାନାଳ: ଏକ ଅତ୍ୟନ୍ତ ଦୁଃଖଦ ଘଟଣାରେ, ସ୍କୁଲକୁ ଯିବା ବାଟରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ଉପରେ ହଠାତ୍ ବିଦ୍ୟୁତ୍ ସର୍ଭିସ୍ ତାର ଛିଣ୍ଡି ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ରେଣଦାପାଟଣା ଗ୍ରାମରେ ଘଟିଛି।

ରେଣଦାପାଟଣା ଗ୍ରାମର ବାବୁଲି ଦେହୁରୀଙ୍କ ପୁଅ ଶୁଭମ ଦେହୁରୀ (ପ୍ରଥମ ଶ୍ରେଣୀର ଛାତ୍ର) ଏବଂ ଝିଅ ବର୍ଷାରାଣୀ ଦେହୁରୀ (ଦ୍ୱିତୀୟ ଶ୍ରେଣୀର ଛାତ୍ରୀ) ପ୍ରତିଦିନ ପରି ଆଜି ସକାଳେ ଘରୁ ରେଣଦାପାଟଣା ଉପ୍ରା ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ବାହାରି ଯାଇଥିଲେ।

ତେବେ ଗାଁ ଦାଣ୍ଡରେ ବିଦ୍ୟାଳୟକୁ ଯିବା ବାଟରେ ହଠାତ୍ ଏକ ବିଦ୍ୟୁତ୍ ସର୍ଭିସ୍ ତାର ଛିଣ୍ଡି ଦୁଇ ଭାଇଭଉଣୀଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଉଭୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ ଏବଂ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ।

ଦୁର୍ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ଅତି ସାବଧାନତାର ସହ ଦୁଇ ଭାଇଭଉଣୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଦୁଇ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଛାତ୍ରଛାତ୍ରୀଙ୍କ ଶରୀରରେ ବିଦ୍ୟୁତ୍ ଆଘାତର ଗଭୀର କ୍ଷତ ରହିଛି ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଅଞ୍ଚଳରେ ଅନେକ ସ୍ଥାନରେ ବିଦ୍ୟୁତ୍ ତାରଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ପୂର୍ବରୁ ଏନେଇ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ବିଭାଗୀୟ ଅବହେଳା କାରଣରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରି ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories