ହଂକଂରେ ଭୟାବହ ଅଗ୍ନିକାଣ୍ଡ: ୪୪ ମୃତ, ୩୦୦ରୁ ଅଧିକ ନିଖୋଜ

ହଂକଂରେ ଭୟାବହ ଅଗ୍ନିକାଣ୍ଡ

ହଂକଂର ତାଇ-ପୋ (Tai Po) ଅଞ୍ଚଳରେ ଥିବା ଏକ ବଡ଼ ଆବାସିକ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪୪ ଜଣ ଜୀଅନ୍ତା ଜଳିଯାଇଥିବା ବେଳେ ପ୍ରାୟ ୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ୩୦୦ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।

ଦୁର୍ଘଟଣାର କାରଣ ଓ କ୍ଷୟକ୍ଷତି:

୧୯୮୦ ମସିହାରେ ନିର୍ମିତ ଏହି ପୁରୁଣା ବିଲ୍ଡିଂର ମରାମତି କାମ ଚାଲିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମରାମତି ପାଇଁ ବ୍ୟବହାର କରାଯାଇଥିବା ବାଉଁଶ ମାଚାଣରେ ନିଆଁ ଲାଗି ଏହା କ୍ରମଶଃ ଏକାଧିକ ବହୁତଳ କୋଠାକୁ ବ୍ୟାପିଯାଇଥିଲା।

ଏହି ନିଆଁରେ ମୋଟ ୭ଟି ଆକାଶଛୁଆଁ ଅଟ୍ଟାଳିକା ହୁତୁ ହୁତୁ ହୋଇ ଜଳିଯାଇଛି। କମ୍ପ୍ଲେକ୍ସରେ ପ୍ରାୟ ୪,୬୦୦ରୁ ଅଧିକ ଲୋକ ବାସ କରୁଥିଲେ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ଥିଲେ। ଏହି ଅଗ୍ନିକାଣ୍ଡକୁ ବିଗତ ତିନି ଦଶନ୍ଧି ମଧ୍ୟରେ ହଂକଂର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ସ୍ଥାନୀୟ ଅଧିକାରୀମାନେ କହିଛନ୍ତି।

• ନିଆଁ ଲିଭାଇବା ପାଇଁ ୧୪୦ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିବା ବେଳେ ୬୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି।
• ପ୍ରାୟ ୯୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
• ୪୫ ଜଣ ଗୁରୁତରଙ୍କ ସମେତ ୫୮ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
• ନିଆଁ ଲିଭା କାର୍ଯ୍ୟରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
• ଅଗ୍ନିବିପନ୍ନମାନଙ୍କ ପାଇଁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଓ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଛି।
• ସରକାର ବାସହରା ପରିବାରଙ୍କୁ ସହାୟତା ଦେବା ପାଇଁ ୧,୪୦୦ଟି ଘରର ବ୍ୟବସ୍ଥା କରିବା ସହ ଏକ ହାଉସିଂ ଟାସ୍କ ଫୋର୍ସ ଗଠନ କରିଛନ୍ତି।

ତଦନ୍ତ ଓ ସତର୍କତା:

ଅଗ୍ନିକାଣ୍ଡ ନେଇ ହଂକଂ ସହରରେ ଲେଭଲ୍-୫ ସର୍ତକ ସୂଚନା ଜାରି କରାଯାଇଛି। ଟ୍ରାଫିକ୍ ସମସ୍ୟା ଯୋଗୁଁ ୬ଟି ସ୍କୁଲକୁ ବନ୍ଦ ରଖାଯାଇଛି। ଘଟଣାର ତଦନ୍ତ କରି ହଂକଂ ପୋଲିସ୍ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି। ଏହି ଦୁର୍ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଅଣାଯାଇପାରି ନାହିଁ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories