ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମର ରାହୁଲ ଦନାୟକ(୧୮) ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହେବା ଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି l ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ରାହୁଲଙ୍କ ବାପା ହରିଶ୍ଚନ୍ଦ୍ର ଦନାୟକ କ୍ଷୋଭ ପ୍ରକାଶ କରିଛନ୍ତି l ରାହୁଲ ଶତକଡା ୯୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବାରୁ ବାଦ ପଡିବା ଭଳି ଅଭାବନୀୟ ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ସେହିଭଳି ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମର ପ୍ରାଣବନ୍ଧୁ କ୍ଷେତି ଶତକଡା ୧୦୦ ପ୍ରତିଶତ ଏବଂ ଅଶୋକ କର୍ମୀ ଶତକଡା ୮୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଥିବା ଖବର ହସ୍ତଗତ ହୋଇଛି l
ଏନେଇ ହରଭଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିପ୍ତୀରଞ୍ଜନ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଜ୍ୟୋତିର୍ମୟ ଦାସ ବିଜେପି ସରକାର ମିଥ୍ୟାର ସୌଦାଗର ବୋଲି କଟାକ୍ଷ କରିଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି l







