HT ଓଡିଶା ବ୍ଯୁରୋ: ଜଣେ ମହିଳା ପାଇଁ ଗର୍ଭାବସ୍ଥା ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଅବସ୍ଥା । ଏହି ଅବସ୍ଥାରେ ମହିଳାଙ୍କୁ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳି ପ୍ରତି ଅଧିକ ଯତ୍ନଶୀଳ ଏବଂ ସଚେତନଶୀଳ ରହିବାକୁ ପଡିଥାଏ । ଆପଣ ମାନେ ଜାଣିଥିବେ ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ତାଙ୍କର ମା, ଜେଜେମା, ଆଈ ମାନେ ପପିତା ବା ଅମୃତଭଣ୍ଡା ନ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଏହାର କାରଣ କ’ଣ? ଆସନ୍ତୁ ଜାଣିବା ମେଡିକାଲ ସାଇନ୍ସ (medical science) ଅନୁସାରେ ଗର୍ଭବତୀ ମହିଳା ପାଇଁ ପପିତା ଖାଇବା ସୁରକ୍ଷିତ କି ନାହିଁ।
ସାଧାରଣତଃ ପପିତା ଦୁଇ ପ୍ରକାରର, କଞ୍ଚା ପପିତା ଏବଂ ପାଚିଲା ପପିତା। ଗର୍ଭବସ୍ଥାର ପ୍ରଥମ ତିନି ମାସ ଏବଂ ଶେଷ ତିନି ମାସ ଅଧିକ ସମ୍ବେଦନଶୀଳ ସମୟ ହୋଇଥାଏ। ତେଣୁ ଡାକ୍ତରଙ୍କ ଅନୁସାରେ ଜଣେ ଗର୍ଭବତୀ ମହିଳା କଞ୍ଚା ପପିତା ଖାଇବା ଉଭୟ ମା ଏବଂ ଶିଶୁ ପାଇଁ ହାନିକାରକ ହୋଇପାରେ। କଞ୍ଚା ପପିତାରେ ଲାଟେକ୍ସ (latex), ପପାଇନ (papain) ନାମକ ଏନଜାଇମ (enzyme) ଥାଏ ଯାହାର ଅଳ୍ପକିଛି ମାତ୍ରା ଯୁଟେରସ କୁ ସଂକୁଚିତ କରିପାରେ ଏବଂ ଗର୍ଭପାତର କାରଣ ହୋଇପାରେ। ଏହାଦ୍ୱାରା ଗର୍ଭବତୀ ମହିଳାର ସମୟ ପୂର୍ବରୁ ପ୍ରସବ ମଧ୍ୟ ହୋଇପାରେ। ଏହାବ୍ୟତୀତ ଏହି ହାନିକାରକ ଏନଜାଇମ (enzyme) ପାଇଁ ଗର୍ଭସ୍ଥ ଶିଶୁର ସଠିକ ଭାବରେ ବିକାଶ ହୋଇପାରେନାହିଁ। ଏହି ଏନଜାଇମ ଗର୍ଭବତୀ ମହିଳାର ଭ୍ରୁନୀୟ ଆବରଣ କୁ ଦୁର୍ବଳ କରିଦେଇଥାଏ, ପେଟରେ ଅଧିକ ଚାପ ସୃଷ୍ଟି କରିଥାଏ , ରକ୍ତ ଶର୍କରା ଏବଂ ନର୍ଭସ ସିଷ୍ଟମ କୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଗର୍ଭବତୀ ମହିଳା କଞ୍ଚା ପପିତା ଖାଇବାଠାରୁ ଦୁରେଇ ରୁହନ୍ତୁ ।
କିନ୍ତୁ ଡାକ୍ତରଙ୍କ ଅନୁସାରେ ଗର୍ଭବତୀ ମହିଳା ହଳଦିଆ ଚୋପା ଥିବା, ଭଲଭାବରେ ପାଚିଥିବା ଏବଂ ମିଠା ବାସ୍ନା ହେଉଥିବା ପାଚିଲା ପପିତା ଖାଇପାରିବେ। କାରଣ ପପିତା ପାଚିଲା ପରେ ଏଥିରେ ଥିବା ହାନିକାରକ ଏନଜାଇମ ନଷ୍ଟ ହୋଇଯାଇଥାଏ। ଏହାଛଡା ପାଚିଲା ପପିତା ରେ ବିଟାକେରୋଟିନ, ଫାଇବର,ଫୋଲିକ ଏସିଡ, ପୋଟାସିୟମ, ଭିଟାମିନ A, B, C, E ପରିକା ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଛି। ଏହା ଖାଇବା ଦ୍ୱାରା ଉଭୟ ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁକୁ ଫାଇଦା ହୋଇଥାଏ। ଗର୍ଭାବସ୍ଥା ସମୟର ଦେଖାଯାଉଥିବା ଅସୁସ୍ଥତାକୁ ଏହା ଦୂର କରିବାରେ ସାହାଯ୍ୟ କରିଥାଏ। ତା ସହିତ ଗର୍ଭସ୍ଥ ଶିଶୁର ଆଖି, ନଖ, ହାଡ ଆଦି ଅଙ୍ଗ ଉପରେ ସୁପ୍ରଭାବ ପକାଇଥାଏ। ତେଣୁ ସୀମିତ ପରିମାଣ ରେ ପାଚିଲା ପପିତା ଖାଇବା ଗର୍ଭବତୀ ମହିଳା ପାଇଁ ସୁରକ୍ଷିତ ଅଟେ। କିନ୍ତୁ ବଜାରରେ ମିଳୁଥିବା ପାଚିଲା ପପିତା ରସ ବା ଜୁସ ପିଇବା ଗର୍ଭବତୀ ମହିଳା ପାଇଁ ସୁରକ୍ଷିତ ନୁହେଁ। କାରଣ ଫାଇଦା ଦେଉଥିବା ଫାଇବର ରସରେ ନଥାଏ। ଏହାଛଡା ପେକେଟ ଜୁସ ରେ ପପିତା ସାନ୍ଦ୍ରତା (concentrate) ଅଧିକ ଥାଇପାରେ ଯାହା ଗର୍ଭାବସ୍ଥା ପାଇଁ ବହୁତ କ୍ଷତିକାରକ ହୋଇପାରେ ।
ତେବେ ଅଳ୍ପ ମାତ୍ରାର ପାଚିଲା ପପିତା ଖାଇବା ଗର୍ଭବତୀ ମହିଳା ପାଇଁ ଫାଇଦା ହୋଇଥାଏ କିନ୍ତୁ କଞ୍ଚା ପପିତା ଖାଇବା ହାନିକାରକ ହୋଇଥାଏ ।








