ଶ୍ରୀଲଙ୍କା ରେ ପ୍ରଳୟ ରଚିଛି ବାତ୍ୟା ‘ଡିଟୱା’। ବାତ୍ୟା ପ୍ରଭାବରେ ବନ୍ୟା ଓ ଭୂସ୍ଖଳନ ଘଟି 123 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଏକାଧିକ ଲୋକେ ନିଖୋଜ ଥିବାବେଳେ ଅଧିକାଂଶ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ଥିବା ଭାରତର ଉଚ୍ଚ ଆୟୋଗ (ହାଇ କମିଶନ) ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ସହାୟତା କେନ୍ଦ୍ରର ବନ୍ଦୋବସ୍ତ କରିଛନ୍ତି, ଯାହା ବନ୍ଦରାନେକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରଖାଯାଇଛି । ଏଥିସହ ଜରୁରୀକାଳୀନ ହେଲ୍ପ ନଂ +94 773727832 ଜାରି କରାଯାଇଛି । ଏହି ନଂରେ ହ୍ୱାଟ୍ସଆପ୍ ସୁବିଧା ମଧ୍ୟ ରହିଛି ।
ଏପଟେ ଭାରତ ଶ୍ରୀଲଙ୍କା ପ୍ରତି ସହାୟତାର ହାତ ବଢାଇଛି । ଅପରେସନ ସାଗରବନ୍ଧୁ ଜରିଆରେ ଭାରତ ସରକାର ଶ୍ରୀଲଙ୍କାକୁ ସହଯୋଗ ଓ ସହାୟତା କରିବେ । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର X ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ- IAF C-130J ବିମାନ ଯୋଗେ ପ୍ରାୟ 12 ଟନ୍ ସହାୟତା ସାମଗ୍ରୀ ନେଇ କଲମ୍ବୋରେ ପହଞ୍ଚିଛି, ଯେଉଁଥିରେ ତମ୍ବୁ, କମ୍ବଳ, ହେଲଥ କିଟ୍ ଏବଂ ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ରହିଛି ।
ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଶ୍ରୀଲଙ୍କାରେ ଭୟଙ୍କର ବନ୍ୟା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଭାରତ ଶ୍ରୀଲଙ୍କାରେ ୮୦ ଜଣ NDRF କର୍ମଚାରୀ ଏବଂ ସନ୍ଧାନୀ କୁକୁର ନିୟୋଜିତ କରିଛି ।
ଏପଟେ ଡିଟୱାର ପ୍ରକୋପ ଶେଷ ହୋଇନଥିବା କହିଛି IMD । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ନଭେମ୍ବର 30 ପରେ ‘ଡିଟୱା’ ଧୀରେ ଧୀରେ ଦୁର୍ବଳ ହୋଇଯିବ । କିନ୍ତୁ ତା ପୂର୍ବରୁ ସତର୍କ ରହିବାକୁ ପଡିବ । ତାମିଲନାଡୁ, ପୁଡୁଚେରୀ ସମେତ ଆନ୍ଧ୍ର ପ୍ରଦେଶକୁ ହାଇଆଲର୍ଟ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ଏସବୁ ରାଜ୍ୟର ସମୁଦ୍ର ପାଖ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।








