ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD) ଉପନିର୍ବାଚନର ଠିକ୍ ପୂର୍ବ ଦିନ ଆମ ଆଦମୀ ପାର୍ଟି (AAP)କୁ ଏକ ବଡ଼ ଧରଣର ଝଟକା ଲାଗିଛି। ଦୁଇଥରର ପୂର୍ବତନ ବିଧାୟକ, ଜାତୀୟ ମୁଖପାତ୍ର ଏବଂ କର୍ଣ୍ଣାଟକ ଦାୟିତ୍ୱରେ ଥିବା ଆପ୍ର ବରିଷ୍ଠ ନେତା ରାଜେଶ ଗୁପ୍ତା ଶନିବାର ଦିନ ଭାରତୀୟ ଜନତା ପାର୍ଟି (BJP)ରେ ଯୋଗ ଦେଇଛନ୍ତି। BJPର ଦିଲ୍ଲୀ ୟୁନିଟ୍ ମୁଖ୍ୟ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।
BJPରେ ଯୋଗଦେବା ସମୟରେ ରାଜେଶ ଗୁପ୍ତା ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ ଏବଂ ନିଜର ପୁରୁଣା ଦଳ ‘ଆପ୍’ରେ ତାଙ୍କର ଯୋଗଦାନ, ତାଙ୍କୁ ମିଳିଥିବା ପରିହାସ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟବହାରକୁ ମନେ ପକାଇ କାନ୍ଦି ପକାଇଥିଲେ। ଦିଲ୍ଲୀ BJP ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବା ତାଙ୍କୁ ଆଶ୍ୱାସନା ଦେଇ ପାଣି ପିଇବାକୁ ଦେଇଥିଲେ। ଦିଲ୍ଲୀ BJPର ଏକ ବିବୃତ୍ତି ଅନୁଯାୟୀ, ସଚଦେବା ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।
ରାଜେଶ ଗୁପ୍ତା ଅଭିଯୋଗ କରିଛନ୍ତି ଯେ କର୍ମୀମାନଙ୍କୁ ବ୍ୟବହାର କରି ଫିଙ୍ଗି ଦେବା (‘use and throw’) ନୀତି ହିଁ ଆପ୍ ଏବଂ ଅରବିନ୍ଦ କେଜ୍ରିୱାଲ ଙ୍କ ପତନର ସବୁଠାରୁ ବଡ଼ କାରଣ। ସେ କହିଛନ୍ତି, ଯେଉଁ ଲୋକମାନେ ଅନ୍ନା ଆନ୍ଦୋଳନ ସମୟରେ ନିଜ ଚାକିରି ଛାଡ଼ିଥିଲେ, ସେମାନଙ୍କ ବିଷୟରେ ଦଳ ଏବେ ଚିନ୍ତା କରୁନାହିଁ… ଅନେକ ଲୋକ ‘ଆପ୍’ ଛାଡ଼ିବାକୁ ଚାହୁଁଛନ୍ତି, ଏବଂ ମୁଁ ଭାବୁଛି ସେମାନେ ଛାଡ଼ିଦେବା ଉଚିତ। ଏହା ସହଜ ନୁହେଁ। ସେମାନେ ଏମିତି ଏକ ଦଳକୁ ଯିବା ଉଚିତ, ଯେଉଁଠାରେ ସେମାନେ ସମ୍ମାନ ପାଇବେ, ଯେଉଁ ଦଳ ସେମାନଙ୍କ କର୍ମୀଙ୍କୁ ବ୍ୟବହାର କରି ଫିଙ୍ଗି ଦିଏ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଦଳରେ ଥିଲି, କିନ୍ତୁ ଏହାର ସଂଯୋଜକ ମୋ ସହିତ କଥା ହେଲେ ନାହିଁ କି ମୋତେ ଭେଟିଲେ ନାହିଁ। ସେ କେଜ୍ରିୱାଲଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, ଅରବିନ୍ଦ ଜୀ, ଲୋକମାନେ ଆପଣଙ୍କୁ କାହିଁକି ଛାଡ଼ି ଯାଉଛନ୍ତି, ସେ ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ। ମୁଁ ଟିଭିରେ ମଧ୍ୟ ସବୁବେଳେ ଆପଣଙ୍କ ପାଇଁ ଲଢ଼ୁଥିଲି।
ଗୁପ୍ତା ଦୁଃଖର ସହିତ କହିଛନ୍ତି ଯେ ‘ଆପ୍’ ଗଠନ ହେବାବେଳେ ଅନେକ ଜଣାଶୁଣା ବ୍ୟକ୍ତି କେଜ୍ରିୱାଲଙ୍କ ସହ ହାତ ମିଳାଇଥିଲେ, କିନ୍ତୁ ସେ “ସମସ୍ତଙ୍କୁ ପ୍ରତାରଣା” କରିଛନ୍ତି, ଯାହା ଫଳରେ ସେମାନେ ଜଣକ ପରେ ଜଣେ କରି ଦଳ ଛାଡ଼ି ଚାଲିଗଲେ। ସେ କହିଛନ୍ତି, ଆଜି ଦୁର୍ଭାଗ୍ୟବଶତଃ, ମୁଁ ମଧ୍ୟ ସେହି ତାଲିକାରେ ଯୋଗ ଦେଇଛି।
ସେ ଅଭିଯୋଗ କରିଛନ୍ତି ଯେ ଅଶୋକ ବିହାର ୱାର୍ଡରେ MCD ଉପନିର୍ବାଚନ ପାଇଁ ‘ଆପ୍’ ଜଣେ ଏପରି ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି, ଯାହାଙ୍କୁ ପୂର୍ବରୁ ଦଳ ନିଜେ ନୋଟିସ୍ ଜାରି କରିଥିଲା। ତାଙ୍କ ନିଜର ଚିନ୍ତାଧାରାକୁ ଦଳ ଖାରଜ କରିଦେଇଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ନିଷ୍ଠା, ସଚ୍ଚୋଟତା ଏବଂ ବିଶ୍ୱସ୍ତତା ସତ୍ତ୍ୱେ, ଦଳର ନେତୃତ୍ୱ ତାଙ୍କ ସହ କୌଣସି ଆଲୋଚନା କରିନଥିଲେ।
ଏହି ଅବସରରେ BJPର ସଚଦେବା ‘ଆପ୍’ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ ଆପ୍ ନେତାମାନେ ଏବେ ସେହି ସମସ୍ୟାଗୁଡ଼ିକୁ ଦର୍ଶାଉଛନ୍ତି, ଯାହା ସେମାନଙ୍କର ୧୨ ବର୍ଷର ଶାସନ କାଳରେ ସୃଷ୍ଟି ହୋଇଛି, ଅଥଚ ମାତ୍ର ଆଠ ମାସ ଶାସନରେ ଥିବା BJP ସରକାରକୁ ପ୍ରଶ୍ନ କରୁଛନ୍ତି। ସେ କହିଛନ୍ତି, କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ସମ୍ପୂର୍ଣ୍ଣ ଭାବେ ଅନୁପସ୍ଥିତ ଥିବା ବେଳେ, ‘ଆପ୍’ ନେତାମାନେ ଅତିଶୀ ଏବଂ ଗୋପାଳ ରାୟ କେବଳ ଉପନିର୍ବାଚନ ପ୍ରଚାର ସମୟରେ ବିଶେଷ ଦୃଶ୍ୟ ଦେଖାଉଛନ୍ତି।








