ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ନଭେମ୍ବର ୧୯ ତାରିଖରେ ଟାଉନ ଥାନା ଅଧୀନସ୍ଥ ମନମୋହନ ସ୍କୁଲ ପଡ଼ିଆ ସମ୍ମୁଖରେ ଥିବା ବିନାୟକ ପୁରମରୁ ହୋଇଥିବା ବଡ଼ ଧରଣର ଡକାୟତି ଘଟଣାର ପର୍ଦାଫାସ କରିଛି ପୋଲିସ । ଏହି ମାମଲାରେ ଦୁଇ ନାବାଳକଙ୍କ ସମେତ ମୋଟ ୧୦ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି । ଡକାୟତି ଘଟଣାରେ ପୋଲିସ ଲୁଟ୍ ହୋଇଥିବା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉଦ୍ଧାର କରିଛି। ଜବତ ସାମଗ୍ରୀ ମଧ୍ୟରେ ରହିଛି, ସୁନା ଅଳଙ୍କାର ୫୨୧ ଗ୍ରାମ (ପ୍ରାୟ ୬୭ ଲକ୍ଷ ଟଙ୍କା), ରୁପା ୧୪.୩୨ କିଲୋ (ପ୍ରାୟ ୨୫ ଲକ୍ଷ ଟଙ୍କା),ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା, ୩ଟି ବନ୍ଧୁକ, ୧୨ଟି ଜୀବନ୍ତ ଗୁଳି, ୨ଟି ଛୁରୀ, ୨ଟି କାର (ହୁଣ୍ଡାଇ ଆଇ୨୦ ସମେତ), ୨ଟି ସ୍କୁଟି, ଗୋଟିଏ ବାଇକ, ଆଇଫୋନ, ଟିଭି, ଫ୍ରିଜ, ହୋମ ଥିଏଟର, ଏବଂ ୧୨ଟି ମୋବାଇଲ ଫୋନ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତମାନେ ହେଲେ, ମାଷ୍ଟର ମାଇଣ୍ଡ ଅଶୋକ ପଣ୍ଡା (୫୮) ମୁଖ୍ୟ ସହଯୋଗୀ ସଂଜୟ ସିଂ (୫୩) ଅନ୍ୟ ଅଭିଯୁକ୍ତ ରାଧାକାନ୍ତ କହଁର (୩୨), ଜଗବନ୍ଧୁ ବେହେରା (୫୬), କାହ୍ନା ଚରଣ ସ୍ୱାଇଁ (୨୫), ସନତ ଓରଫ ଆନନ୍ଦ ରାୟ (୨୪), ଜିତୁ ଓରଫ ଜିତେନ୍ଦ୍ର ସାହୁ (୩୦), ପିଙ୍କି ଓରଫ ସୁଶୀଲା ମେହେର (୩୦), ଏବଂ ଆକାଶ ଏବଂ ୨ ଜଣ ନାବାଳକ। ସୂଚନା ଅନୁଯାୟୀ, ଡକାୟତିର ଶିକାର ହୋଇଥିବା ମୁକେଶ ବୁଚୱାନୀଙ୍କ ପାନ ମସଲା ହୋଲସେଲ ଦୋକାନ ରହିଛି। ମାଷ୍ଟର ମାଇଣ୍ଡ ଅଶୋକ ପଣ୍ଡା ମୁକେଶଙ୍କ ଠାରୁ ବାକିରେ ପାନ ମସଲା କିଣୁଥିଲେ। ବାକି ଟଙ୍କାକୁ ନେଇ ବିବାଦ ଓ ମୁକେଶ ଜମି କାରବାରରେ ରାଜି ନ ହେବାରୁ ଉତକ୍ଷିପ୍ତ ହୋଇ ଅଶୋକ ଏହି ଡକାୟତି ଯୋଜନା କରିଥିଲେ।
ସୂଚନା ଥାଉକି, ମୁକେଶ ବୁଚୱାନୀଙ୍କ ଏକ ପାନ ମସଲା ହୋଲସେଲ ଦୋକାନ ରହିଛି। ଗତ ୫ ବର୍ଷ ହେଲା ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଅଶୋକ ପଣ୍ଡା ମୁକେଶଙ୍କ ଠାରୁ ପାନ ମସଲା କିଣି ତାଙ୍କ ଦୋକାନରେ ବିକ୍ରି କରୁଥିଲେ। ଅଧିକ ଟଙ୍କା ବାକି ପଡ଼ିବାରୁ ମୁକେଶ ଅଶୋକ ବାରମ୍ବାର ବାକି ଟଙ୍କା ମାଗୁଥିଲେ। ସେ ଟଙ୍କା ଦେବା ବାହାନା ଦେଖାଇ ଜମି କାରବାର କରିବା ପାଇଁ ମୁକେଶକୁ ପ୍ରବର୍ତ୍ତାଉଥିଲେ। ମାତ୍ର ମୁକେଶ ରାଜି ନ ହେବାରୁ ଅଶୋକ ଉତକ୍ଷିପ୍ତ ହୋଇଥିଲା। ଏହି ଘଟଣାକୁ ନେଇ ଅଶୋକ ସହଯୋଗୀ ସଂଜୟ ସହିତ ମିଶି ଗତ ୨ ବର୍ଷ ହେଲା ମୁକେଶଙ୍କ ଘରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏହି ୨ ବର୍ଷ ମଧ୍ୟରେ ପାଖାପାଖି ୧୦ରୁ ଅଧିକ ଥର ଡକାୟତି ଉଦ୍ୟମ କରି ଫେଲ ହୋଇଥିଲେ। ଏମିତିକି ମୁକେଶଙ୍କ ବଡଭାଇ ସୁନୀଲଙ୍କ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ପାନ ମସଲା ଦୋକାନରେ ମଧ୍ୟ ଡକାୟତି କରିବା ନେଇ ଯୋଜନା କରିଥିଲେ। ସେଠାରୁ ମଧ୍ୟ ଏମାନେ ସଫଳ ହୋଇନଥିଲେ।
ଶେଷରେ ଗତ ୧୯ ତାରିଖ ଦିନ ମୁକେଶଙ୍କ ଘରେ ସଂଘବଦ୍ଧ ଡକାୟତି କରିବା ପାଇଁ ଯୋଜନା କରିଥିଲେ। ପୋଲିସର ସୂଚନା ଅନୁସାରେ ସଂଜୟ, ଜଗବନ୍ଧୁ ଓ ୨ଜଣ ନାବାଳକ ମାରଣାସ୍ତ୍ର ସହ ଘରେ ପ୍ରବେଶ କରିଥିଲେ। ବାହାରର ସ୍ଥିତି ଜଣାଇବା ପାଇଁ ମନମୋହନ ସ୍କୁଲ ପଡ଼ିଆରେ ଆକାଶ ଏକ ଛୋଟ ଫୋନ ଜରିଆରେ ଭିତରେ ଥିବା ସହଯୋଗୀଙ୍କ ସହିତ ଯୋଗାଯୋଗରେ ଥିଲା। ପାଖାପାଖି ୩ ଘଣ୍ଟାରୁ ଅଧିକ ସମୟ ଧରି ମୁକେଶ ଏବଂ ତାଙ୍କ ପରିବାରର ସମସ୍ତଙ୍କ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କା ସହିତ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ। ଏ ନେଇ ପୋଲିସରେ ମୁକେଶ ଲିଖିତ ଅଭିଯୋଗ କଲାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ସନ୍ଧାନୀ କୁକୁର, ସାଇନଟିଫିକ ଟିମ ସମେତ ଏସପି ପହଂଚି ଡକାୟତମାନଙ୍କର ଫିଙ୍ଗର ପ୍ରିଣ୍ଟ ଓ ଛାଡିଯାଇଥିବା ବନ୍ଧୁକ ଜବତ କରିଥିଲା।
ଡକାୟତମାନଙ୍କର ଗତିବିଧିକୁ ଜାଣିବା ପାଇଁ ପୋଲିସ ସିସିଟିଭିକୁ ଖାନତଲାସ କରିଥିଲା। ହେଲେ ଡକାୟତ ମାନେ ସିସିଟିଭିରେ ଯେମିତି ନ ଆସିବେ ସେଥିପାଇଁ ସେମାନେ କିସାନପଡ଼ା, ଗୌରପଡ଼ା ହୋଇ ବେହେରାପାଲିରେ ଏକାଠି ହୋଇଥିଲେ। ସେଠାରେ ଅପେକ୍ଷା କରିଥିବା ମାଷ୍ଟର ମାଇଣ୍ଡ ଅଶୋକ ଓ ଅନ୍ୟମାନେ ଡକାୟତି କରିଥିବା ଟଙ୍କା, ସୁନା ଅଳଙ୍କାର ଧରି କାର ଯୋଗେ ଫେରାର ହୋଇଥିଲେ। ପୋଲିସ ସିସିଟିଭିରୁ କିଛି ସୁରାକ ନ ପାଇବାରୁ ଫୋନ ଡମ୍ପିଂ କରିଥିଲା। ଏହି ସମୟରେ ୨ଟି ନକଲି (ପ୍ରିଆକ୍ଟିଭ) ସିମ୍ ବ୍ୟବହାର ହୋଇଥିବା ଜଣାପଡ଼ିଲା। ସେହି ସିମକୁ ଟ୍ରେସ କରି ପୋଲିସ ପ୍ରଥମେ ଜଗତସିଂହପୁରର କାହ୍ନା ଏବଂ ବଲାଙ୍ଗୀର ବେଲପଡ଼ାର ସୁଶୀଲା ମେହେରକୁ ଗିରଫ କରିଥିଲା। କାହ୍ନା ଠାରୁ ତଥ୍ୟ ପାଇବା ପରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।








