ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ ଏକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି । ନଡ୍ଡାଙ୍କ ଜେଡ୍ ପ୍ଲସ୍ ସୁରକ୍ଷାରେ ଥିବା ଜଣେ କମାଣ୍ଡୋ ହଠାତ୍ ବେହୋସ୍ ହୋଇ ପଡ଼ିଥିଲେ । ଫଳରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।
ସୂଚନା ଅନୁସାରେ, ଗତକାଲି ଗୁଜରାଟ ଭଦୋଦରାରେ 150ତମ ରାଷ୍ଟ୍ରୀୟ ଏକତା ଯାତ୍ରା କାର୍ଯ୍ୟକ୍ରମ ଥିଲା । ଦଳୀୟ ନେତା ଓ ସମର୍ଥକଙ୍କ ସହ ନଡ୍ଡା ଏଠାରେ ପହଞ୍ଚିଲେ । ନିୟମ ଅନୁସାରେ ନଡ୍ଡାଙ୍କ ସହ ତାଙ୍କ ଜେଡ୍ ପ୍ଲସ୍ ସିକ୍ୟୁରିଟି କମାଣ୍ଡୋମାନେ ମଧ୍ୟ ରହିଥିଲେ । କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ନଡ୍ଡାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା ।
ଏହାପରେ ନଡ୍ଡା ମଞ୍ଚକୁ ଚଢିଥିଲେ, ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଜଣେ ସୁରକ୍ଷା କମାଣ୍ଡୋ ହଠାତ୍ ବେହୋସ୍ ହୋଇ ତଳେ ପଡ଼ି ଯାଇଥିଲେ । ଉପସ୍ଥିତ ଥିବା ଅନ୍ୟ କମାଣ୍ଡୋମାନେ ତାଙ୍କ ପାଖକୁ ଧାଇଁ ଆସିଥିଲେ । ପାଣି ପିଆଇବା ସହ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲେ । ପାଣି ପିଇବା ପରେ ସୁରକ୍ଷାକର୍ମୀ ଜଣକ ଠିଆ ହୋଇଥିଲେ । ତଥାପି ଅନ୍ୟ କମାଣ୍ଡୋ ବନ୍ଧୁମାନେ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ । ମାତ୍ର ନଡ୍ଡା ତାଙ୍କ ଭାଷଣରେ ବିରାମ ଲଗାଇ ନଥିଲେ ।
କମାଣ୍ଡୋଙ୍କ ଏପରି ଅବସ୍ଥା ସତ୍ତ୍ୱେ ସମ୍ପୃର୍ଣ୍ଣ ଭାଷଣ ଶେଷ କରି ‘ଜୟ ହିନ୍ଦ୍’ କହିଥିଲେ ନଡ୍ଡା । ଏହି ଘଟଣା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ସହ ନଡ୍ଡାଙ୍କ ଭାଷଣ ଜାରି ରଖିବାକୁ ନେଇ ନିନ୍ଦା କରାଯାଉଛି । ଜଣେ ସୁରକ୍ଷାକର୍ମୀଙ୍କ ଏପରି ଅବସ୍ଥା ସତ୍ତ୍ୱେ ଭାଷଣ ଦେବା ଲଜ୍ଜାକର ବିଷୟ ବୋଲି ଜଣେ ସୋଶାଲ ମିଡିଆ ୟୁଜର୍ ଲେଖିଛନ୍ତି ।








