ପୁରୀ: ସାମୁଦ୍ରିକ ଝଡ଼ ହେଉ କି ବାତ୍ୟା ନାଁ, ଶୁଣିଲେ ଭୟ ଆସେ। ବିଶେଷ କରି ଉପକୂଳିଆ ଜିଲ୍ଲାର ଲୋକମାନଙ୍କ ମନରେ ଛାନିଆ ପଶେ । ଧନଜୀବନ କ୍ଷୟକ୍ଷତି ଭୟ ଲୋକଙ୍କୁ ଘାରେ । ସବୁ ବର୍ଷ ଏମିତି ଭୟ ଘେରରେ ରହୁଥିବା ଲୋକେ କେମିତି ବାତ୍ୟା ବିଭୀଷିକାରୁ ରକ୍ଷା ପାଇବେ ସେ ନେଇ ଚିନ୍ତା କରିଛନ୍ତି। ବନ୍ୟା ପ୍ରକୋପରୁ ରକ୍ଷା ପାଇବାକୁ ଅଣ୍ଟା ଭିଡିଛନ୍ତି । ଆଉ ଏଥିରେ ଆଗରେ ଅଛନ୍ତି ମହିଳା । କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ। ନିଜ ଅଞ୍ଚଳ ଓ ଅଞ୍ଚଳବାସୀଙ୍କୁ ବାତ୍ୟା ଦାଉରୁ ରକ୍ଷା କରିବାପାଇଁ ଆରମ୍ଭ କରିଛନ୍ତି ଏକ ସ୍ଵତନ୍ତ୍ର ଅଭିଯାନ। ଯେଉଁଥିରେ ଗାଁର ମହିଳା ଏକାଠି ହୋଇ ନଦୀ ଓ ସମୁଦ୍ର ଉପକୂଳରେ ସୃଷ୍ଟି କରୁଛନ୍ତି ହେନ୍ତାଳ ବନ। ଏମିତି ଏକ ଅଭିଯାନ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ଥରଙ୍ଗ ବ୍ଲକରେ। ଅସ୍ତରଙ୍ଗ ସାନ ଝାଲିଙ୍ଗି ଗାଁର ଦେବୀ ନଦୀ କୂଳିଆ ଗାଁର ମହିଳା। ଆଉ ଏଥିରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି ଗାଁ ର ପୁରୁଷ ଓ ଯୁବକମାନେ। ସାମୁଦ୍ରିକ ଝଡରେ ଅନେକ ଲୋକ ଜୀବନ ଜୀବିକା, ବାସ ହରାଇଛନ୍ତି।
ବିପର୍ଯ୍ୟୟରୁ ରକ୍ଷା ପାଇଁ ଅଞ୍ଚଳର ମହିଳା ଏକାଠି ହୋଇଛନ୍ତି । ପ୍ରତିଦିନ ଘର କାମ ପରେ ଏକାଠି ହୋଇ ଦେବୀ ନଦୀକୂଳରେ ଲଗାଉଛନ୍ତି ହେନ୍ତାଳ ଗଛ। ଗତ କିଛି ମାସରେ ଏମାନେ ପ୍ରାୟ ୩୦ ହଜାରରୁ ଅଧିକ ହେନ୍ତାଳ ଗଛ ଲଗାଇ ସାରିଲେଣି। ଏମିତି ବନ ସୃଷ୍ଟି ଅଭିଯାନରେ ସାମିଲ ହୋଇଛନ୍ତି ତଣ୍ଡାହର, ଛେନୁଅ, ଉଦୟକଣି, ଶିଶୁଅ, ସାନ ଝାଲିଙ୍ଗି, ବଡ ଝାଲିଙ୍ଗୀ ଆଦି ଆଖପାଖ ଗାଁ ମହିଳା । ୧୯୯୯ ମହାବାତ୍ୟା ପରେ ଅନେକ ଛୋଟ ବଡ ବାତ୍ୟାରେ ଅନେକ ଘରଦ୍ବାର ଓ ଜୀବନଜୀବିକା ହରାଇଛନ୍ତି। ସରକାର ଓ ପ୍ରଶାସନ ପ୍ରତିକାର ନେଇ ପଦେକ୍ଷପ ନ ନେବାରୁ ଏକାଠି ହେଲେ ଗାଁ ଲୋକେ। ସୃଷ୍ଟି କରୁଛନ୍ତି ହେନ୍ତାଳବଣ । ହେନ୍ତାଳ ମଞ୍ଜି ସଂଗ୍ରହ ପରେ ୬ଟି ନର୍ସରୀରେ ଉତ୍ପାଦନ କରୁଛନ୍ତି ହେନ୍ତାଳ ଚାରା । ତିଆରି କରି ନିଜେ ନିଜେ ଚାରା ଉତ୍ପାଦନ କରୁଛନ୍ତି ।
ଦେବୀ ନଦୀ ଓ ସମୁଦ୍ର କୂଳେ ରୋପଣ କରି ଝଡ଼ରୁ ରକ୍ଷା ପାଇବାକୁ ଅଭିଯାନ ଚଳାଇଛନ୍ତି। ମାଛ, କଙ୍କଡା ଧରି ଘର ଚଳାଉଥିବା ମହିଳାଙ୍କ ହେନ୍ତାଳବଣ ସୃଷ୍ଟି ଅଭିଯାନକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏମାନଙ୍କ ଅଭିଯାନକୁ ଆଗକୁ ନେବାରେ ସହଯୋଗ କରୁଛନ୍ତି ସ୍ଥାନୀୟ ପରିବେଶ ପ୍ରେମୀ । ଦେବୀ ନଦୀ ଓ ସମୁଦ୍ର କୂଳ ଆଦ୍ର ଭୂମିରେ ହେନ୍ତାଳ ଗଛ ବଢ଼ିବାକୁ ଅନୁକୂଳ ପରିବେଶ । ୧୯୯୯ ର ମହାବାତ୍ୟାକୁ ମନେ ପକାଇ ଲୁଣା ଓ ହେନ୍ତାଳବଣ ସୃଷ୍ଟିରେ ଲାଗିଛନ୍ତି ଲୋକେ।
ଅସ୍ତରଙ୍ଗର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦ ହଜାର ରୁ ଅଧିକ ହେନ୍ତାଳ ଗଛ ଲଗାଇ ସାରିଲେଣି ଲୋକେ। କେବଳ ଯେ, ବିପର୍ଯ୍ୟୟର ରକ୍ଷା ନୁହେଁ ଏହି ଗଛ ମୂଳେ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଭଲରେ ବଢ଼ିନ୍ତି। ଝଡ଼ ଓ ବାତ୍ୟାର ପ୍ରଭାବରୁ ସୁରକ୍ଷା ତଥା ମତ୍ସ୍ୟ ସମ୍ପଦ ବୃଦ୍ଧି ପାଇଁ ହେନ୍ତାଳବଣ ସଂରକ୍ଷଣ ଅନ୍ତତ୍ୟ ଆବଶ୍ୟକ ବୋଲି ବିଶେଷଜ୍ଞଙ୍କ ମତ। ଏ କଥା ବୁଝି ସାରିଲେଣି ଲୋକେ ତେଣୁ କାହାର ସହାୟତା ନନେଇ ବାତ୍ୟାର ପ୍ରକୋପ ରୋକିବାକୁ ଯେଉଁ ଅଭିଯାନ ଚଳାଇଛନ୍ତି ତାକୁ ସାଧାରଣରେ ପ୍ରଶଂସା କରାଯାଇଛି।







