ବାତ୍ୟା ‘ସେନ୍ୟାର’ର କରାଳ ରୂପ, ଦକ୍ଷିଣ-ପୂର୍ବ ଏସିଆରେ ୬୦୦ରୁ ଅଧିକ ମୃତ

ବାତ୍ୟା 'ସେନ୍ୟାର'ର କରାଳ ରୂପ, ଦକ୍ଷିଣ-ପୂର୍ବ ଏସିଆରେ ୬୦୦ରୁ ଅଧିକ ମୃତ

ଭୟଙ୍କର ବାତ୍ୟା ‘ସେନ୍ୟାର’ ଓଡ଼ିଶା ଉପକୂଳ ଆଡ଼କୁ ନ ଆସିଥିଲେ ମଧ୍ୟ, ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ ଭୟଙ୍କର ବିଭୀଷିକା ସୃଷ୍ଟି କରିଛି। ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ମାଲେସିଆରେ ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ୬ଶହ ଲୋକଙ୍କର ଜୀବନ ଯାଇଛି। ଏହି ତିନୋଟି ଦେଶ ମଧ୍ୟରେ ଇଣ୍ଡୋନେସିଆ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଠାରେ ମୃତ୍ୟୁସଂଖ୍ୟା ଅତ୍ୟନ୍ତ ଅଧିକ ରହିଛି।

ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ଅନେକ ଗାଁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି। ଦେଶରେ ମୃତ୍ୟୁ ସଂଖ୍ୟା ୪୪୨ ରେ ପହଞ୍ଚିଥିବା ବେଳେ, ପ୍ରାୟ ୪ଶହରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୫୯,୬୬୦ ପରିବାର ବାସହରା ହୋଇପଡିଛନ୍ତି। ରାସ୍ତାଘାଟ ଭାଙ୍ଗି ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ତେବେ, ବର୍ଷାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଜରୁରୀକାଳୀନ ପଦକ୍ଷେପ ସ୍ୱରୂପ ଇଣ୍ଡୋନେସିଆ ରାଷ୍ଟ୍ରପତି ‘କ୍ଲାଉଡ ସିଡିଂ’ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ, ଥାଇଲାଣ୍ଡରେ ମଧ୍ୟ ବାତ୍ୟା ‘ସେନ୍ୟାର’ ତାଣ୍ଡବ ରଚିଛି। ଦକ୍ଷିଣ ଥାଇଲାଣ୍ଡରେ ଏବେଯାଏଁ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ମୃତଦେହ ଗୁଡ଼ିକୁ ରଖିବା ପାଇଁ ଡାକ୍ତରଖାନା ଗୁଡ଼ିକରେ ସ୍ଥାନର ଅଭାବ ଦେଖାଦେଇଛି। ଫଳରେ, ଫ୍ରିଜ୍ ଥିବା ଟ୍ରକ୍ ଗୁଡ଼ିକୁ ମୃତଦେହ ରଖିବା ପାଇଁ ବ୍ୟବହାର କରାଯାଉଛି। ଛାତ ଉପରେ ଫସି ରହିଥିବା ଲୋକଙ୍କ ପାଖରେ ହେଲିକପ୍ଟର ମାଧ୍ୟମରେ ଖାଦ୍ୟ ପହଞ୍ଚାଯାଉଛି। ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୨୦୨୫ ସି-ଗେମ୍ସର ୧୧ଟି କାର୍ଯ୍ୟକ୍ରମକୁ ବ୍ୟାଙ୍କକକୁ ସ୍ଥାନାନ୍ତର କରାଯାଇଛି।

ମାଲେସିଆରେ ଯଦିଓ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ଅଛି, ତଥାପି ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର ମାଲେସିଆର ପରଲିସର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ, ୩୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ଯୋଗୁଁ ରାସ୍ତାଘାଟ, ବ୍ରିଜ୍ ଏବଂ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାରକାରୀ ଦଳମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories