ଟିକେଟ୍ କଳାବଜାରୀରେ ମାତିଲେଣି ଦଲାଲ! ମୂଳ ଦରର ୫ ଗୁଣାରେ ବିକ୍ରି

ଟିକେଟ୍ କଳାବଜାରୀରେ ମାତିଲେଣି ଦଲାଲ! ମୂଳ ଦରର ୫ ଗୁଣାରେ ବିକ୍ରି

କଟକ: ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ତେବେ, ଏହି ଉତ୍ସାହର ଫାଇଦା ନେବାକୁ ସକ୍ରିୟ ହୋଇ ଉଠିଛନ୍ତି ଟିକେଟ୍ କଳାବଜାରୀ । ସୂଚନା ମୁତାବକ, ଆଜିଠାରୁ ଅନଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବାକୁ ଥିବାବେଳେ କେତେକ ଟିକେଟ୍ ବ୍ଲାକର୍ ସୋସିଆଲ ମିଡିଆରେ ଆଗୁଆ ଟିକେଟ୍‌ର ଷ୍ଟାଟସ୍ ଦେଇ କଳା ବଜାରୀ ଆରମ୍ଭ କରିଦେଇଛନ୍ତି।

ମୂଳ ଦରର ୫ ଗୁଣାରେ ବିକ୍ରି:

ଅନଲାଇନ୍ କିମ୍ବା ଅଫଲାଇନ୍‌ରେ ଟିକେଟ୍ ବିକ୍ରି ହୋଇ ନଥିବା ବେଳେ ଏହି ଟିକେଟ୍‌ଗୁଡ଼ିକ କେଉଁଠୁ ଆସିଲା, ତାହା ବର୍ତ୍ତମାନ ସନ୍ଦେହ ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଉଛି, ଏହି ଦଲାଲମାନେ ମୂଳ ଟିକେଟ୍ ଦରର ପାଖାପାଖି ୫ ଗୁଣା ଅଧିକ ଦରରେ ଟିକେଟ୍ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଓଡ଼ିଶାର କ୍ରିକେଟପ୍ରେମୀମାନେ ମ୍ୟାଚ୍ ଦେଖିବା ପାଇଁ ଯେଉଁ ଆଗ୍ରହୀ ଅଛନ୍ତି, ତାହାର ସୁଯୋଗ ନେଇ ଏହି ଦଲାଲମାନେ ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଟିକେଟ୍ ବିକ୍ରି ପୂର୍ବରୁ ସୋସିଆଲ ମିଡିଆରେ ଏହିଭଳି ପୋଷ୍ଟଗୁଡ଼ିକ ପ୍ରଶାସନ ତଥା ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଛି। ପ୍ରଶାସନ ତୁରନ୍ତ ଏହି କଳାବଜାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ରିକେଟ୍ ପ୍ରେମୀମାନେ ଦାବି କରିଛନ୍ତି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories