ବିବାହ ସମ୍ପର୍କରେ ଲାଗିଲା ନିଆଁ: ସ୍ତ୍ରୀକୁ ନିଆଁକାଠରେ ଚେଙ୍କ ଦେଇ ହତ୍ୟା କଲା ସ୍ୱାମୀ

ବିବାହ ସମ୍ପର୍କରେ ଲାଗିଲା ନିଆଁ: ସ୍ତ୍ରୀକୁ ନିଆଁକାଠରେ ଚେଙ୍କ ଦେଇ ହତ୍ୟା କଲା ସ୍ୱାମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ଖମାର ଥାନା ଅଧୀନରେ ଥିବା ସିଆରିମାଳିଆ ଗ୍ରାମର ଆଦିବାସୀ ସାହିରେ ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହ କରି ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା ପରେ ସେ ତାଙ୍କ ସମ୍ପର୍କୀୟ ଶଳାକୁ ଫୋନ ଯୋଗେ ଘଟଣା ବିଷୟରେ ସୂଚନା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ସିଆରିମାଳିଆ ଗ୍ରାମର ସୁଦର୍ଶନ ହେମ୍ବ୍ରମ ପାଳଲହଡା ଥାନା ହାତୀମୁଣ୍ଡ ଗ୍ରାମର ମଞ୍ଜୁ ହେମ୍ବ୍ରମଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ୱାମୀ ସୁଦର୍ଶନ ତାଙ୍କ ସ୍ତ୍ରୀ ମଞ୍ଜୁଙ୍କୁ ପରକୀୟା ପ୍ରୀତି ସନ୍ଦେହ କରି ବାରମ୍ବାର ମାରପିଟ କରୁଥିଲେ। ଏହି କାରଣରୁ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା।

ଗତକାଲି ସ୍ତ୍ରୀ ମଞ୍ଜୁ ହାଟକୁ ଯାଇଥିବା ବେଳେ ଜଣେ ସମ୍ପର୍କୀୟ ଯୁବକଙ୍କ ସହ କଥା ହେଉଥିଲେ। ସ୍ୱାମୀ ସୁଦର୍ଶନ ତାଙ୍କ ସ୍ତ୍ରୀକୁ ଅନ୍ୟ ପୁରୁଷ ସହ କଥା ହେଉଥିବାର ଦେଖିଥିଲେ। ଏହି ଘଟଣାକୁ ନେଇ ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉଗ୍ର ବଚସା ହୋଇଥିଲା। ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ୱାମୀ ସୁଦର୍ଶନ ପ୍ରଥମେ ସ୍ତ୍ରୀଙ୍କୁ ମାରପିଟ କରିଥିଲେ ଏବଂ ପରେ ଏକ ଜଳନ୍ତା ନିଆଁ କାଠରେ ତାଙ୍କ ଦେହର ବିଭିନ୍ନ ଅଙ୍ଗକୁ ନିର୍ମମ ଭାବେ ଚେଙ୍କ ଦେଇଥିଲେ। ଏଭଳି ଭୟଙ୍କର ନିର୍ଯାତନା ଦେବା ପରେ ଶେଷରେ ସେ ସ୍ତ୍ରୀ ମଞ୍ଜୁଙ୍କୁ ହତ୍ୟା କରିଥିଲେ।

ହତ୍ୟାକାଣ୍ଡ ପରେ, ଆଜି ସକାଳୁ ସୁଦର୍ଶନ ନିଜ ଶଳାକୁ ଫୋନ ଯୋଗେ ସମସ୍ତ ଘଟଣା ବିଷୟରେ ସୂଚନା ଦେଇ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତକ ମଞ୍ଜୁଙ୍କ ଭାଇ ଏହି ଘଟଣା ନେଇ ଖମାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଖମାର ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫେରାର ହୋଇଯାଇଥିବା ଅଭିଯୁକ୍ତ ସ୍ୱାମୀ ସୁଦର୍ଶନ ହେମ୍ବ୍ରମଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ପାରିବାରିକ କଳହ ଓ ପରକୀୟା ପ୍ରୀତି ସନ୍ଦେହରୁ ଏଭଳି ଏକ ଅମାନୁଷିକ ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories