ଦିନ ଥିଲା, ମୁଢି, ଚୁଡା କିମ୍ବା ପିଠା ତରକାରୀରୁ ସକାଳ ଆରମ୍ଭ ହେଉଥିଲା । ମାତ୍ର ଏବେ ସମୟ ବଦଳି ଗଲାଣି, ଚଳନି ବଦଳିଲାଣି ଆଉ ତା ସାଙ୍ଗରେ ତାଳ ଦେଇ ବଦଳିଛି ସ୍ୱାଦ । ଏବେ ସକାଳେ ଆଉ ମୁଢି-ଛତୁଆ ନାହିଁ, ବରଂ ଅଛି ବ୍ରେଡ୍-ଓମଲେଟ୍, ପିଜା-ବର୍ଗର । ଅଧିକାଂଶ ଲୋକଙ୍କର ଏହା ନୀତିଦିନିଆ ଆଉ ପ୍ରିୟର ଖାଦ୍ୟ ବନିଗଲାଣି । ଯଦି ସବୁଦିନ ବ୍ରେକଫାଷ୍ଟରେ ଏହାକୁ ଖିଆଯାଏ, ତେବେ ସ୍ୱାସ୍ଥ୍ୟ ଉପରେ ଏହାକ କି ପ୍ରଭାବ ପଡ଼ିପାରେ, ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ….
ପୁଷ୍ଟିକର ଖାଦ୍ୟ ବିଜ୍ଞାନୀ ଡକ୍ଟର ରୋହିଣୀ ପାଟିଲଙ୍କ କହିବା ଅନୁସାରେ, ପ୍ରତିଦିନ ସକାଳେ ବ୍ରେଡ୍-ଓମଲେଟ୍ ଖାଇବା ଶରୀର ପାଇଁ ସ୍ୱାଭାବିକ ହୋଇପାରେ, ମାତ୍ର ଏହା ବ୍ରେଡର ପ୍ରସ୍ତୁତି ପ୍ରଣାଳୀ, ସେଥିରେ ମିଶୁଥିବା ଉପାଦେୟ ଏବଂ ପରିମାଣ ଉପରେ ନିର୍ଭର କରେ ।
କେଉଁ ବ୍ରେଡ୍ କେମିତି?
ଡକ୍ଟର ପାଟିଲଙ୍କ କହିବା ଅନୁସାରେ, ଅଣ୍ଡା ହେଉଛି ପୁଷ୍ଟିକର ଖାଦ୍ୟର ଗନ୍ତାଘର । ଏଥିରେ ଉଚ୍ଚମାନର ପ୍ରୋଟିନ୍, ଭିଟାମିନ୍ ବି, କୋଲାଇନ୍ ଏବଂ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ଭରପୂର ଥାଏ, ଯାହା ମାଂସପେଶୀ ତିଆରି କରେ, ମେଟାବୋଲିଜିମ୍ ଶକ୍ତିକୁ ସୁଦୃଢ କରେ ଏବଂ ଜ୍ଞାନାତ୍ମକ କାର୍ଯ୍ୟକୁ ସମର୍ଥନ କରେ । ତେଣୁ ବ୍ରେଡ୍-ଓମଲେଟ୍ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇପାରେ । କିନ୍ତୁ ଏହା କିପରି ଭାବେ ଶରୀର ଉପରେ ପ୍ରଭାବ ପକାଇବ ତାହା ସମ୍ପୂର୍ଣ୍ଣ ରୂପେ ବ୍ୟବହୃତ ବ୍ରେଡର ରୋଷେଇ ପଦ୍ଧତି ଉପରେ ନିର୍ଭର କରେ । କିପରି ବ୍ରେଡର ବିଭିନ୍ନତା ଓମଲେଟର ପୁଷ୍ଟିକର ପ୍ରଣାଳୀକୁ ପରିବର୍ତ୍ତନ କରେ, ସେ ବାବଦରେ ବର୍ଣ୍ଣନା କରାଯାଇଛି ।
ହ୍ୱାଇଟ୍ ବ୍ରେଡ୍: ଏହି ବ୍ରେଡ୍ ଅତ୍ୟଧିକ ପରିଷ୍କୃତ, କମ୍ ଫାଇବର, ଶୀଘ୍ର ହଜମ କରାଇଥାଏ । ଫଳରେ ଶୀଘ୍ର ଭୋକ ଲାଗେ ।
ବ୍ରାଉନ୍ ବ୍ରେଡ୍: ହ୍ୱାଇଟ୍ ବ୍ରେଡରେ କାରାମେଲ୍ କଲର୍ ଦେବା ପରେ ବ୍ରାଉନ୍ ବ୍ରେଡ୍ ହୋଇଥାଏ । ସମ୍ପୂର୍ଣ୍ଣ ଗହମରୁ ହୋଇନଥିଲେ ପ୍ରାୟତଃ ଏହା ସ୍ୱାସ୍ଥ୍ୟକର ନୁହେଁ ।
ହୋଲ ହ୍ୱୁଇଟ୍ ବ୍ରେଡ୍: ଫାଇବର ଏବଂ ସୂକ୍ଷ୍ମ ପୁଷ୍ଟିକର ପରିମାଣ ଅଧିକ ଥାଏ । ଏଥିସହ ହଜମକୁ ଧୀର କରେ, ଅନ୍ତନଳୀ ସ୍ୱାସ୍ଥ୍ୟକୁ ସପୋର୍ଟ କରେ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ତୃପ୍ତ ରଖେ ।
ମଲ୍ଟିଗ୍ରେନ୍ ବ୍ରେଡ୍: ଯଦି ଏହା ସମ୍ପୂର୍ଣ୍ଣ ଶସ୍ୟ ମଲ୍ଟିଗ୍ରେନ୍ ହୋଇଥାଏ ତେବେ ଲାଭଦାୟକ । ନଚେତ୍ ଯଦି ବ୍ୟବସାୟ ପାଇଁ କୌଣସି ପ୍ରକାର ଖାଦ ମିଶ୍ରିତ ହୋଇଥାଏ, ତେବେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅତ୍ୟଧିକ ତେଲ, ବଟର କିମ୍ବା ହ୍ୱାଇଟ୍ ବ୍ରେଡ୍ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଅନ୍ତି । କାରଣ ଏହା କେବଳ କ୍ୟାଲୋରୀ ବୃଦ୍ଧି କରେ ନାହିଁ, ବରଂ ରକ୍ତ ଶର୍କରା ସ୍ତରକୁ ସ୍ପାଇକ୍ କରାଇଦିଏ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆହୁରି କହନ୍ତି ଯେ ରାସ୍ତାକଡ ଦୋକାନରେ ବିକ୍ରି ହେଉଥିବା କିମ୍ବା କ୍ୟାଣ୍ଟିନରୁ ମିଳୁଥିବା ଓମଲେଟ୍ ପରିବର୍ତ୍ତେ ଘରେ ତିଆରି ଓମଲେଟ୍ ଖାଇପାରିବେ । ଯଦି ଏଥିରେ କୌଣସି ବ୍ରେଡ୍ ମିଶାଇବାକୁ ଚାହୁଁଛନ୍ତି ତେବେ ସମ୍ପୂର୍ଣ୍ଣ ଶସ୍ୟରୁ ପ୍ରସ୍ତୁତ ହୋଲ୍ ଗ୍ରେନ୍ ବ୍ରେଡ୍ ଖାଇବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି । ନହେଲେ, ଅହେତୁକ ମେଦବହୁଳତା ସାଙ୍ଗକୁ ଶର୍କରା ଓ କ୍ୟାଲୋରୀ ସ୍ତର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି – ସକାଳ ହେଉ କି ରାତିରେ ସର୍ବଦା ଅଲଗା ଅଲଗା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ । ଗୋଟିଏ ଖାଦ୍ୟକୁ ବାରମ୍ବାର ଖାଇବା ଦ୍ୱାରା ଶରୀରରେ ଅନ୍ୟ ପୋଷୋକତତ୍ତ୍ୱର ଅଭାବ ଦେଖାଦେଇପାରେ ।








