ବୌଦ୍ଧ/ଫୁଲବାଣୀ (ସର୍ବେଶ୍ୱର କ୍ଷେତି): ସୁକାନ୍ତ କୁମାର ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ ଭାବରେ ଦିଲ୍ଲୀ ଦରବାରରେ ବେଶ ପରିଚିତ l ସେ ଭାରତୀୟ ସଂସଦର ତଳ ସଦନ ଲୋକସଭା ସଦସ୍ୟ ଭାବେ କାର୍ଯ୍ୟରତ l ୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରରୁ ଭାରତୀୟ ଜନତା ପାର୍ଟି ଟିକଟରେ ପ୍ରଚଣ୍ଡ ବହୁମତ ପାଇ ୧୮ଶ ଲୋକସଭାକୁ ନିର୍ବାଚିତ ହୋଇଥିବା ସୁକାନ୍ତ କେବଳ ଜଣେ ଜନ ପ୍ରତିନିଧି ନୁହେଁ ବରଂ ଗ୍ରାମୀଣ ଭାରତର ଆଶା ଓ ଆକାଂକ୍ଷାର ପ୍ରତୀକ ଭାବରେ ମଧ୍ୟ ପରିଚିତ l ପତଣ୍ଡା ଗ୍ରାମରୁ ଦିଲ୍ଲୀ ସଂସଦ ପର୍ଯ୍ୟନ୍ତ ଯାତ୍ରା କୃଷି, ଶିକ୍ଷା ଏବଂ ସମାଜସେବା ସହ ଜଡିତ l ଜଣେ ସ୍ବର୍ଣ୍ଣ ପଦକ ବିଜେତା କୃଷି ବୈଜ୍ଞାନିକ, ସମର୍ପିତ କୃଷକ ଏବଂ ଲୋକସଭା ସାଂସଦ ଭାବରେ ସେ ରାଜନୀତିରେ ଏକ ନୂଆ ଶୈଳୀର ପ୍ରାରମ୍ଭ କରିଛନ୍ତି l ଯେଉଁଠାରେ ପ୍ରତିଶ୍ରୁତି ନୁହେଁ ବରଂ କାର୍ଯ୍ୟ ଏବଂ ପରିଣାମ ହିଁ କଥା କହିଥାଏ l ସେ ୨୫ ମଇ ୧୯୬୭ ମସିହାରେ ଅବିଭକ୍ତ କନ୍ଧମାଳ (ବର୍ତ୍ତମାନ ନୟାଗଡ଼) ଜିଲ୍ଲାର ପତଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ୧୯୯୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ କୃଷି ବିଜ୍ଞାନରେ ଏମ.ଏସ.ସି ପାସ କରି ସ୍ବର୍ଣ୍ଣ ପଦକ ବିଜେତା ମଧ୍ୟ ଥିଲେ l ୧୯୯୫ ମସିହାରେ ରାଜଧାନୀ ଆଇନ ମହାବିଦ୍ୟାଳୟରୁ ଏଲ.ଏଲ.ବି ପାଠ୍ୟକ୍ରମ ସମାପ୍ତ କରିଥିଲେ l
ମାତ୍ର ୮ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘରେ ଯୋଗ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ସଂଘ ପ୍ରଚାରକ ଭାବରେ ଦୀର୍ଘ ୬ ବର୍ଷ କାର୍ଯ୍ୟ କରିଥିଲେ l ଛାତ୍ର ଜୀବନରୁ ରାଜନୀତିରେ ରୁଚି ରଖୁଥିବା ସୁକାନ୍ତ ପାଠ ପଢ଼ିବା ଦିନରୁ ଛାତ୍ର ନେତା ହିସାବରେ କାମ କରିଛନ୍ତି l ସେ ଭାରତୀୟ ଜନତା ପାର୍ଟିରେ ୧୯୯୮ ମସିହାରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ l ୧୯୯୯ ଏବଂ ୨୦୦୨ ମସିହାରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଭାବେ ଜନତାଙ୍କ ସେବା କରିଥିଲେ l ୨୦୦୨ ମସିହାରେ ବିଜେପିର ରାଜ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ l ୨୦୦୦ ଏବଂ ୨୦୦୪ ମସିହା ସାଧାରଣ ନିର୍ବାଚନରେ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ l ୨୦୧୪ ମସିହାରେ ଯେଉଁ ସମୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେପିର ସେମିତି କିଛି ଭଲ ସଂଗଠନ ନଥିଲା ତଥାପି ସେ ବିଜେପି ଟିକେଟରେ ଲୋକସଭା ପ୍ରାର୍ଥୀ ଭାବରେ ଲଢ଼ିଥିଲେ l
ଫୁଲବାଣୀ, ଦଶପଲ୍ଲା, ବୌଦ୍ଧ, ବାଲିଗୁଡା, ଜି.ଉଦୟଗିରି, କଣ୍ଟାମାଳ, ଭଞ୍ଜନଗର ଏହି ୭ ଟି ବିଧାନସଭା କ୍ଷେତ୍ରକୁ ନେଇ କନ୍ଧମାଳ ସଂସଦୀୟ କ୍ଷେତ୍ର ଗଠିତ l ସେହିପରି କନ୍ଧମାଳ ମହୋତ୍ସବ ଜରିଆରେ କନ୍ଧମାଳର ଐତିହ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ମଧ୍ୟ ତାଙ୍କର ଯଥେଷ୍ଟ ଭୂମିକା ରହିଛି l କନ୍ଧମାଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିରନ୍ତର ସ୍ୱର ଉଠାଇବା ସହ ଦଶପଲ୍ଲାକୁ ରେଳ ସଂଯୋଗ ଏବଂ ଫୁଲବାଣୀକୁ ରେଳ ସଂଯୋଗ ପାଇଁ ସଂସଦରେ ଗୁରୁତ୍ୱପୂର୍ଣ୍ଣ ଭିମିକା ନିର୍ବାହ କରିଛନ୍ତି l କେନ୍ଦ୍ର ସରକାରଙ୍କ ପାଖରେ ବାରମ୍ବାର କନ୍ଧମାଳର ଉନ୍ନତି ତଥା କନ୍ଧମାଳର ହଳଦୀ ଓ ଅଦା ଚାଷୀଙ୍କ ଲାଭ ପାଇଁ ଉନ୍ନତ ଚାଷ କୌଶଳ, ଆର୍ଥିକ ସହାୟତା ଏବଂ ଚାଷ ସମ୍ବନ୍ଧିୟ ସମସ୍ତ ପ୍ରକାର ସହାୟତା ପାଇଁ ସରକାରଙ୍କ ପାଖରେ ଚାଷୀ ଭାଇର ସ୍ୱର ହୋଇ ଦାବି ଉପସ୍ଥାପନ କରିଛନ୍ତି l
ଦୁର୍ନୀତି ଓ ଭ୍ରଷ୍ଟାଚାରର ସମ୍ପୁର୍ଣ୍ଣ ବିରୋଧ କରୁଥିବା ସୁକାନ୍ତଙ୍କୁ କନ୍ଧମାଳ ବିକାଶର ସାରଥି ବୋଲି ମଧ୍ୟ କୁହାଯାଏ l ବର୍ତ୍ତମାନ ସେ କୃଷକ ପ୍ରଶିକ୍ଷଣ କେନ୍ଦ୍ର, ମହିଳା ସ୍ୱ-ସହାୟତା ସମୂହ, ଆଦିବାସୀ ଯୁବକଙ୍କୁ ମାର୍ଗଦର୍ଶନ, ପର୍ଯ୍ୟାବରଣ ସଂରକ୍ଷଣ, କୃଷି କ୍ଷେତ୍ରକୁ ଉଦ୍ୟୋଗ ସହ ଯୋଡିବା, ସ୍ଥାୟୀ ଗ୍ରାମୀଣ ବିକାଶ, ଡିଜିଟାଲ ସାକ୍ଷରତା ଦିଗରେ କାର୍ଯ୍ୟରତ l ତାଙ୍କ ମତରେ- ରାଜନୀତି କେବଳ ଭାଷଣ ଦେବାର ମଞ୍ଚ ନୁହେଁ ବରଂ ସ୍ବପ୍ନଗୁଡ଼ିକ ପୂରଣ କରିବାର ଏକ ମାଧ୍ୟମ ଅଟେ l







