କଟକ: ବହୁ ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ଟିକେଟ୍ କାଉଣ୍ଟର ଖୋଲିବା ମାତ୍ରେ ହିଁ ଷ୍ଟାଡିୟମ୍ ବାହାରେ ଲାଗିଛି ପ୍ରଶଂସକଙ୍କ ଲମ୍ବା ଲାଇନ । ଟିକେଟ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଚରମରେ ପହଞ୍ଚିଛି । ତେବେ କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ୍ ବିକ୍ରି ହେବାର ଥିବାରୁ ଏହାକୁ ହାସଲ କରିବା ପାଇଁ ଫ୍ୟାନ୍ମାନେ ଗତକାଲି ସନ୍ଧ୍ୟାରୁ ହିଁ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ । କେବଳ ୧୦ ହଜାର ଟିକେଟ୍ ପାଇଁ ଏତେ ସଂଖ୍ୟକ ଲୋକଙ୍କର ଭିଡ଼ ଜମିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି ।
ଖବର ଅନୁଯାୟୀ, ଟିକେଟ୍ କାଉଣ୍ଟର ଖୋଲିବା ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଲୋକମାନେ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ । ଟିକେଟ୍ ପାଇବା ପାଇଁ ଅନେକ ଫ୍ୟାନ୍ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଧୈର୍ଯ୍ୟର ସହ ଛିଡ଼ା ହୋଇଥିବା ଦେଖାଯାଇଛି । ସୀମିତ ସଂଖ୍ୟକ ଟିକେଟ୍ ଥିବାରୁ, କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିଲା । ପ୍ରଶଂସକଙ୍କ ଭିତରେ ଉତ୍ତେଜନା ବଢ଼ିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା ।
ସ୍ଥିତିକୁ ନଜରରେ ରଖି ଟିକେଟ୍ କାଉଣ୍ଟର ବାହାରେ ଅଧିକ ସଂଖ୍ୟକ ପୋଲିସ୍ ବାହିନୀ ସହିତ ବାଉଁଶ ବ୍ୟାରିକେଡ୍ ନିୟୋଜିତ କରାଯାଇଛି । ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ମାନେ ଜମା ହେବା ପରେ ସ୍ଥିତି ସାଂଘାତିକ ହୋଇଥିଲା । ତେବେ ଅସମ୍ଭାଳ ଭିଡ଼କୁ ଦେଖି ପୋଲିସ ପର୍ଯ୍ୟାୟକ୍ରମେ ଦର୍ଶକଙ୍କୁ ବ୍ୟାରିକେଡ୍ ଭିତରକୁ ଛାଡ଼ିବା ବ୍ୟବସ୍ଥା କରିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଯୋଗୁଁ ଧାଡ଼ିରେ ଛିଡ଼ା ହୋଇଥିବା ଅନେକ ଫ୍ୟାନ୍ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସମସ୍ତେ ଟିକେଟ୍ ପାଇବା ପାଇଁ ଆଶା ରଖିଥିବା ବେଳେ ସୀମିତ ସଂଖ୍ୟକ ଟିକେଟ୍ ଯୋଗୁଁ ନିରାଶ ହେବାର ଆଶଙ୍କା ରହିଛି








