ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି । ଏଥିସହ ତ୍ରି-ସେବା ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଛି । ଏହାପରେ ରୁଷ ରାଷ୍ଟ୍ରପତି ଦିଲ୍ଲୀର ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଅହିଂସାର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ରାଜଘାଟରେ ପରିଦର୍ଶକ ପୁସ୍ତକ (ଭିଜିଟର୍ସ ବୁକ୍)ରେ ସ୍ୱାକ୍ଷର କରିଛନ୍ତି ପୁଟିନ । ଏଥିସହ ମହାତ୍ମା ଗାନ୍ଧିଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଲେଖିଛନ୍ତି ରୁଷ ରାଷ୍ଟ୍ରପତି ।
ପୁଟିନ ତାଙ୍କ ସଂକ୍ଷିପ୍ତ ନୋଟରେ ଗାନ୍ଧିଜୀଙ୍କୁ ଆଧୁନିକ ସ୍ୱାଧୀନ ଭାରତର ପ୍ରତିଷ୍ଠାତା ଭାବେ ଉଲ୍ଲେଖ କରିଛନ୍ତି । ଏଥିସହ ମହାତ୍ମାଙ୍କୁ ଜଣେ ମାନବବାଦୀ ଏବଂ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ବୋଲି ଲେଖିଛନ୍ତି ପୁଟିନ ।
ରୁଷିଆନ ଭାଷାରେ ପୁଟିନ ଲେଖିଛନ୍ତି, “ମହାତ୍ମା ଗାନ୍ଧୀ ଅହିଂସା ଏବଂ ସତ୍ୟ ମାଧ୍ୟମରେ ସମଗ୍ର ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଅମୂଲ୍ୟ ଅବଦାନ ଦେଇଥିଲେ, ଯାହାର ପ୍ରଭାବ ଆଜି ମଧ୍ୟ ପ୍ରାସଙ୍ଗିକ । ସେ ଏକ ନୂତନ, ନ୍ୟାୟପୂର୍ଣ୍ଣ, ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ପାଇଁ ପଥ ଦେଖାଇଥିଲେ ଯାହା ବର୍ତ୍ତମାନ ଗଠନ ପ୍ରକ୍ରିୟାରେ ଅଛି । ସମାନତା, ପାରସ୍ପରିକ ସମ୍ମାନ ଏବଂ ସହଯୋଗକୁ ନେଇ ସେ ଦେଇଥିବା ଶିକ୍ଷା ଆଜି ଭାରତକୁ ବିଶ୍ୱବାସୀଙ୍କ ସହ ଅନ୍ତର୍ଜାତୀୟ ସ୍ତରରେ ନୀତି ଏବଂ ମୂଲ୍ୟବୋଧକୁ ରକ୍ଷା କରିବାରେ ସହାୟକ କରୁଛି ।” ରୁଷ ମଧ୍ୟ ସେହିପରି ପାଳନ କରେ ବୋଲି ରାଷ୍ଟ୍ରପତି ପୁଟିନ ଲେଖିଛନ୍ତି ।
ଏହି ଅବସରରେ ରୁଷ ରାଷ୍ଟ୍ରପତିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ସ୍ମାରକୀ ସ୍ଥଳରେ ଉପସ୍ଥିତ ଥିଲେ । ସେ ପୁଟିନଙ୍କୁ ରାଜଘାଟ ବୁଲାଇ ଦେଖାଇଥିଲେ ।
ପୁଟିନ ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଦୁଇ ଦେଶର ଉନ୍ନତି ଏବଂ ପ୍ରଗତି କ୍ଷେତ୍ରରେ କିପରି ମିଳିମିଶି ପଦକ୍ଷେପ ନେବେ ସେ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।








