ସାରା ରାଜ୍ୟରେ ଶୀତ ଲହରୀ: ମୟୂରଭଞ୍ଜରେ ତାପମାତ୍ରା ୨ ଡିଗ୍ରୀକୁ ଖସିଲା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ସାରା ଓଡ଼ିଶାରେ ଏବେ ଶୀତ ଲହରୀର ପ୍ରକୋପ ଜାରି ରହିଛି, ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ମଧ୍ୟ ଶୀତର ପ୍ରଭାବରୁ ନିସ୍ତାର ମିଳୁନାହିଁ। ଲଗାତାର ଭାବେ ପାରଦ ତଳମୁହାଁ ହେବାରେ ଲାଗିଛି, ଯାହା ଜାଡ଼ର ପ୍ରକୋପକୁ ବଢ଼ାଇ ଦେଇଛି।

ସର୍ବାଧିକ ଶୀତର ପ୍ରଭାବ ମୟୂରଭଞ୍ଜ ଜିଲ୍ଲା ରେ ଦେଖିବାକୁ ମିଳିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଜିଲ୍ଲାରେ ଘନ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବିଶେଷ କରି ଶିମିଳିପାଳ ଜାତୀୟ ଉଦ୍ୟାନ ଓ ଏହାର ପାଦ ଦେଶରେ ଥିବା ଗାଁ ଗୁଡ଼ିକରେ ଶୀତର ତିବ୍ରତା ଅଧିକ ରହିଛି। ଶିମିଳିପାଳର ଉପର ବାରାକାମୁଡ଼ାରେ ୨ ଡିଗ୍ରୀ, ଚହଲାରେ ୪ ଡିଗ୍ରୀ, ଗୁଡ଼ିଗୁଡ଼ିଆରେ ୬ ଡିଗ୍ରୀ ଓ ବରେଇପାଣିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି, କନ୍ଧମାଳ ଜିଲ୍ଲା ମଧ୍ୟ ଜାଡ଼ ଶୀତରେ ଥରୁଛି। ଶୀତ ସାଙ୍ଗକୁ ଘନ କୁହୁଡ଼ି ସମଗ୍ର ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି। ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।

ହାଡ଼ଭଙ୍ଗା ଶୀତ ଯୋଗୁଁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ସ୍ଥାନରେ ଲୋକେ ଘରୁ ବାହାରିବାକୁ କୁଣ୍ଠାବୋଧ କରୁଛନ୍ତି। ଉଭୟ ମୟୂରଭଞ୍ଜ ଓ କନ୍ଧମାଳ ସମେତ ସାରା ରାଜ୍ୟର ଶୀତ ପ୍ରଭାବିତ ଅଞ୍ଚଳରେ ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅସହ୍ୟ ଶୀତରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories