ଭୁବନେଶ୍ବର: ଅହେତୁକ ଦରବୃଦ୍ଧି, ସୁନାଦରରେ ନିଆଁ ଏବଂ ଯୌତୁକ ଖର୍ଚ୍ଚ ଭଳି ଆର୍ଥିକ ସଙ୍କଟ ସମୟରେ ରାଜ୍ୟ ସରକାର ଆଣିଛନ୍ତି ଆଶ୍ୱସ୍ଥିକର ଖବର । ଏଣିକି ଝିଅ ବାହାଘରକୁ ସହାୟତାର ହାତ ବଢାଇବେ ରାଜ୍ୟ ସରକାର । ଆର୍ଥିକ ଅନଗ୍ରସର ପରିବାରର ଦୁଃଖ, ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଏପରି ନିୟମ ଆଣିଛନ୍ତି ମୋହନ ସରକାର । ତେବେ ଏହି ସୁବିଧା ପାଇଁ ଗାଇଡ୍ ଲାଇନ୍ କ’ଣ ରହିଛି ଏବଂ କେଉଁମାନେ ଉପକୃତ ହେବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣିକି ଝିଅ ବାହାଘର ଖର୍ଚ୍ଚ ପାଇଁ ସରକାର ଦେବେ 51 ହଜାର ଟଙ୍କା । ଏହି ଟଙ୍କା ଝିଅ ଆକାଉଣ୍ଟକୁ ଯିବ । କିନ୍ତୁ ସରକାରଙ୍କ ନିୟମ ଅନୁସାରେ, 51 ହଜାର ଟଙ୍କାରୁ 35 ହଜାର ଟଙ୍କା ସିଧାସଳଖ ଝିଅ ଆକାଉଣ୍ଟରେ ଡିପୋଜିଟ୍ ହେବାକୁ ଥିବାବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଦିଆଯିବ ।
ଅବଶିଷ୍ଟ 16 ହଜାରରୁ 6 ହଜାର ଟଙ୍କା ବାହାଘର ଖର୍ଚ୍ଚ ପାଇଁ ଏବଂ 10 ହଜାର ଟଙ୍କାରେ ଉପହାର ଦେବେ ସରକାର । ଏଥିରେ ଝିଅ ପାଇଁ ଚୁଡ଼ି, ପାଉଁଜି, ଝୁଣ୍ଟିଆ ଏବଂ ବାସନ ରହିବ । କେଉଁମାନେ ଏହି ସହାୟତା ରାଶି ପାଇବାକୁ ଯୋଗ୍ୟ ହେବେ ସେଥିପାଇଁ ଗାଇଡ୍ ଲାଇନ୍ ରଖିଛନ୍ତି ସରକାର ।
ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା ଗାଇଡ୍ ଲାଇନ୍
ଏହି ଯୋଜନାରେ ଉପକୃତ ହେବାକୁ ହେଲେ ହିତାଧିକାରୀ ଝିଅର ବୟସ 18ରୁ 35 ବର୍ଷ ବୟସ ମଧ୍ୟରେ ହୋଇଥିବା ବେଳେ ସେ ବିବାହ କରୁଥିବା ପୁଅର ବୟସ 21ରୁ 35 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଗୋଟିଏ ପରିବାରରେ କେବଳ ଜଣେ ଝିଅଙ୍କୁ ଏହି ସୁବିଧା ମିଳିବ । ଏଥିସହ ଯୁବତୀ ଓଡ଼ିଶାାର ବାସିନ୍ଦା ଏବଂ ସେ ପ୍ରଥମ ଥର ବିବାହ କରୁଥିବା ଦରକାର । ଯଦି ସ୍ୱାମୀ ଥାଇ ଅନ୍ୟ କେଉଁଠି ଦ୍ୱିତୀୟ ବିବାହ କରୁଥିବେ, ତେବେ ଉକ୍ତ ଯୁବତୀଙ୍କୁ କୌଣସି ପ୍ରକାର ସୁବିଧା ମିଳିବ ନାହିଁ । କିନ୍ତୁ ବିଧବାମାନେ ଏଥିରେ ଉପକୃତ ହୋଇପାରିବେ । ସବୁଠୁ ବଡ଼ କଥା ହେଉଛି କି ଆର୍ଥିକ ଅନଗ୍ରସର ପରିବାରକୁ ଏହି ସୁବିଧା ମିଳିବ । ଯେଉଁମାନେ ଗରିବ ଥିବେ, ତାର ସର୍ଭେ କରାଇ ସରକାର ସହାୟତା ରାଶି ପ୍ରଦାନ କରିବେ । 2025-26ରୁ 2029-30 ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ।








