ବିମାନ ଚଳାଚଳ କ୍ଷେତ୍ରରେ ଦେଶର ସର୍ବବୃହତ ଏୟାରଲାଇନ୍ସ ଇଣ୍ଡିଗୋରେ ଗତ ୬ ଦିନ ଧରି ଅଚଳାବସ୍ଥା ଜାରି ରହିଛି, ଯାହା ଯୋଗୁଁ ହଜାର ହଜାର ଯାତ୍ରୀ ଦିନ କାଟୁଛନ୍ତି ଅନିଶ୍ଚିତତା ଭିତରେ। ଏହି ସଙ୍କଟର ସମାଧାନ କେବେ ହେବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଲଗାତାର ଉଡ଼ାଣ ବାତିଲ ହେତୁ ସାଧାରଣ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ଷଷ୍ଠ ଦିନରେ ପ୍ରାୟ ୮୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ହୋଇଛି।
ଏହି ବ୍ୟାପକ ଅଚଳାବସ୍ଥାକୁ ନେଇ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଆକ୍ସନ ମୋଡକୁ ଆସିଛି। ଡିଜିସିଏ ଇଣ୍ଡିଗୋର ସିଇଓ (CEO) ପିଟର ଏଲବର୍ସ ଏବଂ ଏୟାରଲାଇନ୍ସର ଆକାଉଣ୍ଟେବୁଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।
ନୋଟିସର ମୁଖ୍ୟ କାରଣ ହେଉଛି, ନଭେମ୍ବର ୧ରୁ ଲାଗୁ ହୋଇଥିବା ପରିବର୍ତ୍ତିତ ଉଡ଼ାଣ ଡ୍ୟୁଟି ସମୟସୀମା (Flight Duty Time Limitations – FDTL) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତିର ଅଭାବ। ଡିଜିସିଏ ନୋଟିସରେ ଉଲ୍ଲେଖ କରିଛି ଯେ ଏହି ବିଫଳତା ପଛରେ ଯୋଜନା, ସମୀକ୍ଷା ଏବଂ ସମ୍ବଳ ପରିଚାଳନାରେ ତ୍ରୁଟି ରହିଛି, ଯାହା ନିୟମର ଉଲ୍ଲଂଘନ କରୁଛି। ସିଇଓ ହେଉଛନ୍ତି ଏୟାରଲାଇନ୍ସ ପରିଚାଳନାର ସମସ୍ତ ଦାୟିତ୍ୱ ପାଇଁ ଉତ୍ତରଦାୟୀ, ତେଣୁ ତାଙ୍କୁ ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଜବାବ ନରଖାଯାଏ, ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ଚେତାବନୀ ଦେଇଛି।
ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ସେମାନେ ଅପରେସନକୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଜୋରସୋରରେ କାମ କରୁଛନ୍ତି। ସେମାନେ ଦାବି କରିଛନ୍ତି ଯେ ୯୫ ପ୍ରତିଶତ ନେଟୱର୍କକୁ ସ୍ୱାଭାବିକ କରାଯାଇଛି ଏବଂ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି।
ତେବେ, ଡିଜିସିଏ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ FDTL ନିୟମରେ ଅସ୍ଥାୟୀ କୋହଳ ମିଳିବା ପରେ ଏବଂ ଏୟାରଲାଇନ୍ସ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବା ପରେ, ଫେବୃଆରୀ ୧୦, ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ଅପରେସନ୍ ଫେରିଆସିବ ବୋଲି ଇଣ୍ଡିଗୋ ଆଶା ରଖିଛି। ତଥାପି, ବର୍ତ୍ତମାନ ପାଇଁ ହଜାର ହଜାର ଯାତ୍ରୀଙ୍କ ଯନ୍ତ୍ରଣା ଏବଂ ଅନିଶ୍ଚିତତା କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶଙ୍କା କରାଯାଉଛି।








