ବାଲେଶ୍ୱର: ବିଦ୍ୟୁତ୍ ଚୋରିକୁ ତୃଣମୂଳ ସ୍ତରରୁ ନିୟନ୍ତ୍ରଣ କରିବା ଏବଂ ବିଦ୍ୟୁତ୍ ସରବରାହ ବ୍ୟବସ୍ଥାରେ ସଚ୍ଛତା ଆଣିବା ପାଇଁ ଟିପିଏନଓଡିଏଲ (TPNODL) ପକ୍ଷରୁ ସମଗ୍ର ବଣ୍ଟନ ଅଞ୍ଚଳରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ, କମ୍ପାନୀ ବିଭିନ୍ନ ସ୍ଥାନରେ ଚଢାଉ ଅଭିଯାନକୁ ଅଧିକ କଡାକଡି କରିଛି। ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଚୋରି ରୋକିବା ପାଇଁ ଏବେ କମ୍ପାନୀର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଜାରି ରହିଛି।
ଗତ ଡିସେମ୍ବର ୪ ତାରିଖରେ ଟିପିଏନଓଡିଏଲର ପ୍ରବର୍ତ୍ତନ ବିଭାଗ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଦଳ ବାଲେଶ୍ୱର ରେ ଏକ ବଡ଼ ଧରଣର ଚଢାଉ କରିଥିଲେ। ଏହି ଟିମ୍ରେ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ, ସେକ୍ସନ ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୁଣା ବାଲେଶ୍ୱର, ବଡଖୁଆ, ତୁଳସୀପଦା, ଫୁଲବଜାର, କଂସେଇମହଲା ବସ୍ତି ଏବଂ ଦର୍ଘାମଇଦାନ ଭଳି ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଚଢାଉ କରାଯାଇଥିଲା। ଏହି ଅଭିଯାନର ମୁଖ୍ୟ ସଫଳତା ହେଉଛି, ମୋଟ ୧୨୧ କିଲୋୱାଟ୍ (KW) ବିଦ୍ୟୁତ୍ ଚୋରି ରୋକାଯିବାରେ ଏହି ଟିମ୍ ସମର୍ଥ ହୋଇଛି। ଏଥିସହିତ, ଅସାଧୁ ଉପାୟରେ ବିଦ୍ୟୁତ୍ ବ୍ୟବହାର କରୁଥିବା ୩୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହା ଭବିଷ୍ୟତରେ ଏହିପରି କାର୍ଯ୍ୟ କରୁଥିବା ଲୋକଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଉଛି।
ବାଲେଶ୍ୱର ମଣ୍ଡଳରେ ବିଦ୍ୟୁତ୍ ଚୋରି ରୋକିବାରେ ଟିପିଏନଓଡିଏଲର ସାମଗ୍ରିକ ସଫଳତା ପ୍ରଶଂସନୀୟ। ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୨ରୁ ଆର୍ଥିକ ବର୍ଷ ୨୦୨୫ ମଧ୍ୟରେ ଏହି ମଣ୍ଡଳରେ ୧୧୭.୮୮ ମେଗାୱାଟ୍ ବିଦ୍ୟୁତ୍ ଚୋରି ରୋକାଯାଇଛି। କେବଳ ଆର୍ଥିକ ବର୍ଷ ୨୦୨୬ରେ ଏଯାବତ୍ ୨୭.୫୨ ମେଗାୱାଟରୁ ଅଧିକ ବିଜୁଳି ଚୋରି ରୋକିବାରେ କମ୍ପାନୀ ସଫଳ ହୋଇଛି। ଏହି ସମୟ ମଧ୍ୟରେ ସମୁଦାୟ ପ୍ରାୟତଃ ୪୦,୦୦୦ରୁ ଉର୍ଦ୍ଧ୍ଵ ମାମଲା ମଧ୍ୟ ରୁଜୁ କରାଯାଇଛି। କମ୍ପାନୀ ପକ୍ଷରୁ ସେକ୍ସନ ସ୍ତରରୁ ଆରମ୍ଭ କରି ବୈଦ୍ୟୁତିକ ମଣ୍ଡଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ବିଦ୍ୟୁତ୍ ଚୋରିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ବିଶେଷ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇଛି।
ବିଦ୍ୟୁତ୍ ଚୋରି କେବଳ କମ୍ପାନୀର ଆର୍ଥିକ କ୍ଷତି କରେ ନାହିଁ, ବରଂ ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ୍ ସରବରାହର ଗୁଣବତ୍ତା ଏବଂ ନିରାପତ୍ତା ଉପରେ ପଡ଼ିଥାଏ। ଏହା ଫଳରେ ସମଗ୍ର ବ୍ୟବସ୍ଥାରେ ‘ଓଭରଲୋଡ୍’ ବଢ଼ିଥାଏ, ଯେଉଁଥିପାଇଁ ଟ୍ରାନ୍ସଫର୍ମରରେ ଅଧିକ ଚାପ ପଡ଼େ, ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହୁଏ ଏବଂ ସଚ୍ଚୋଟ ଉପଭୋକ୍ତାମାନେ ପ୍ରଭାବିତ ହୁଅନ୍ତି।
ଏହି ସମସ୍ୟାକୁ ଦୂର କରିବା ପାଇଁ ଟିପିଏନଓଡିଏଲ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ନାଗରିକମାନେ ନିଜ ନଜରରେ କେହି ବିଦ୍ୟୁତ୍ ଚୋରି କରୁଥିବାର ଦେଖିଲେ ତୁରନ୍ତ ୯୪୩୮୯-୦୬୦୦୨ ନମ୍ବର ଯୋଗେ କମ୍ପାନୀର ପ୍ରବର୍ତ୍ତନ ବିଭାଗ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗକାରୀଙ୍କ ନାମ ଓ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି କମ୍ପାନୀ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି।








