ପାଣାଜୀ: ଗୋଆ ର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ଲୋମହର୍ଷଣକାରୀ ଦୃଶ୍ୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବାରେ ଲାଗିଛି । ଗୋଆର ରାଜଧାନୀ ପାଣାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂର ଆରପୋରା ଗାଁରେ ଥିବା ଲୋକପ୍ରିୟ ପାର୍ଟି ସ୍ଥଳ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ (Burch by Romeo Lane) ନାଇଟ୍ କ୍ଲବରେ ଶନିବାର ମଧ୍ୟରାତ୍ରି ପରେ ଏହି ଦୁର୍ଘଟଣା ଘଟିଛି ।
ପୁଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେତୁ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ତେବେ, କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି ଅନୁସାରେ, ନିଆଁ ପ୍ରଥମେ କ୍ଲବର ପ୍ରଥମ ମହଲାରେ ଲାଗିଥିଲା, ଯେଉଁଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ନାଚୁଥିଲେ ।
ନିଆଁ ଲାଗିବା ସମୟରେ ‘ଡ୍ୟାନ୍ସ ଫ୍ଲୋର’ରେ ଅତିକମରେ ୧୦୦ ଜଣ ଉପସ୍ଥିତ ଥିଲେ । ସପ୍ତାହ ଶେଷ ଦିନ ହୋଇଥିବାରୁ କ୍ଲବରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ପର୍ଯ୍ୟଟକ ଫାତିମା ଶେଖ କହିଛନ୍ତି ଯେ, ନିଆଁର ଜ୍ୱାଳା ଦେଖାଯିବା ମାତ୍ରେ ହଠାତ୍ ଦୌଡାଧାପଡା ସୃଷ୍ଟି ହୋଇଥିଲା । ସେ ଓ ଅନ୍ୟ କିଛି ଲୋକ କ୍ଲବରୁ ବାହାରକୁ ଦୌଡ଼ି ଆସିବା ବେଳକୁ ପୁରା କ୍ଲବ ନିଆଁରେ ଘେରି ହୋଇ ସାରିଥିଲା ।
ନିଜକୁ ବଞ୍ଚାଇବା ପାଇଁ ଅନେକ ପର୍ଯ୍ୟଟକ ତଳେ ଥିବା ରୋଷେଇ ଘର ଆଡକୁ ଦୌଡ଼ି ପଳାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ, ସେମାନେ ରୋଷେଇ ଘରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସହ ସେଠାରେ ଫସି ଯାଇଥିଲେ । କ୍ଷଣିକ ମଧ୍ୟରେ କ୍ଲବର ତାଳ ପତ୍ରରେ ତିଆରି ଅସ୍ଥାୟୀ ଢାଞ୍ଚା ନିଆଁ କବଳକୁ ଚାଲିଯାଇଥିଲା । ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ଅଧିକାଂଶ ତଳ ମହଲାରେ ଫସି ରହିଥିଲେ ଏବଂ ଅଧିକାଂଶଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ଘଟିଛି ।
ଏହି ଦୁର୍ଘଟଣାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସାୱନ୍ତ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଅଧିକାଂଶ କ୍ଲବର ରୋଷେଇ ଘରେ କାମ କରୁଥିବା କର୍ମଚାରୀ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ “ତିନିରୁ ଚାରିଜଣ ପର୍ଯ୍ୟଟକ” ସାମିଲ ଅଛନ୍ତି ।
ଅଗ୍ନିଶମ ବାହିନୀ ପାଇଁ ଉଦ୍ଧାର କାର୍ଯ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ନାଇଟ୍ କ୍ଲବ ସଂକୀର୍ଣ୍ଣ ଗଳିରେ ଅବସ୍ଥିତ ଥିବାରୁ ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳ ପାଖରେ ପହଞ୍ଚି ପାରିନଥିଲେ । ଫଳରେ ଟ୍ୟାଙ୍କରଗୁଡ଼ିକୁ କ୍ଲବଠାରୁ ପ୍ରାୟ ୪୦୦ ମିଟର ଦୂରରେ ରଖିବାକୁ ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ସାୱନ୍ତ ସ୍ୱୀକାର କରିଛନ୍ତି ଯେ ନାଇଟ୍ କ୍ଲବ ଅଗ୍ନି ସୁରକ୍ଷା ନିୟମ ପାଳନ କରିନଥିଲା । ସେ ଘୋଷଣା କରିଛନ୍ତି ଯେ କ୍ଲବ ପରିଚାଳନା ଏବଂ ସୁରକ୍ଷା ନିୟମର ଉଲ୍ଲଙ୍ଘନକୁ ଅଣଦେଖା କରିଥିବା ଅଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।








