ଧାନ ସଂଗ୍ରହରେ ବିଳମ୍ବ: କଲାପାଣି ମଣ୍ଡିରେ ତାଲା ପକାଇଲେ ଅସନ୍ତୁଷ୍ଟ ଚାଷୀ

ଧାନ ସଂଗ୍ରହରେ ବିଳମ୍ବ: କଲାପାଣି ମଣ୍ଡିରେ ତାଲା ପକାଇଲେ ଅସନ୍ତୁଷ୍ଟ ଚାଷୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଗତ ନଭେମ୍ବର ୨୮ ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଦଶ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହା ସ୍ୱାଭାବିକ ହୋଇପାରି ନାହିଁ। ଏହି ବିଳମ୍ବକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉଗ୍ର ଅସନ୍ତୋଷ ଦେଖାଦେଇଛି। ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରି ରହିଥିବା ଚାଷୀମାନେ ଅନେକ ଦିନ ଧରି ମଣ୍ଡିରେ ପଡ଼ି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନଥିବାରୁ ଏହି ଅସନ୍ତୋଷ ବୃଦ୍ଧି ପାଇଛି। ଚାଷୀମାନଙ୍କୁ ସମୟରେ ଟୋକନ୍ ମିଳୁନଥିବା ଏବଂ ମିଳିଥିବା ଟୋକନରେ ଧାର୍ଯ୍ୟ ପରିମାଣଠାରୁ କମ୍‌ ଧାନ କିଣା ଯାଉଥିବା ଭଳି ଅଭିଯୋଗ ଆସୁଛି। ଅନେକ ମଣ୍ଡିରେ ମିଲର୍ସଙ୍କ ସହ ଚୁକ୍ତି ସରି ନଥିବାରୁ ମଧ୍ୟ ଧାନ ଉଠାଣରେ ବିଳମ୍ବ ହେଉଥିବା ଜଣାପଡିଛି। ଏପରି ସ୍ଥିତିରେ, ଫସଲ ନଷ୍ଟ ହେବାର ଭୟରେ ଚାଷୀକୂଳ ଚିନ୍ତାରେ ପଡ଼ି ଯାଇଛନ୍ତି।

ତାଲା ପକାଇଲେ, ଦେଲେ ଚେତାବନୀ:

ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଏବଂ ବିଳମ୍ବକୁ ନେଇ ଅତିଷ୍ଠ ହୋଇ ଶେଷରେ ଅସନ୍ତୁଷ୍ଟ ଚାଷୀମାନେ ରବିବାର ଦିନବରଗଡ଼ ନିୟନ୍ତ୍ରିତ ବଜାର କମିଟି (RMC) ଅଧୀନ କଲାପାଣି ମଣ୍ଡିରେ ତାଲା ପକାଇ ପ୍ରତିବାଦ କରିଛନ୍ତି।  ସେମାନେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ ଯେତେ ଦିନ ପର୍ଯ୍ୟନ୍ତ ଏହି ମଣ୍ଡିରେ ଧାନ କିଣାବିକା ପ୍ରକ୍ରିୟା ସ୍ୱାଭାବିକ ନ ହୋଇଛି, ସେତେ ଦିନ ପର୍ଯ୍ୟନ୍ତ ମଣ୍ଡିରୁ ତାଲା ଖୋଲାଯିବ ନାହିଁ। ଚାଷୀମାନଙ୍କର ଏହି କଠୋର ଆଭିମୁଖ୍ୟ ପ୍ରଶାସନ ଉପରେ ଚାପ ସୃଷ୍ଟି କରିଛି। ସଂଗୃହିତ ଧାନ ଶୀଘ୍ର ଉଠାଣ, ସମସ୍ତ ପଞ୍ଜୀକୃତ ଚାଷୀଙ୍କୁ ଟୋକନ୍ ବଣ୍ଟନ ଏବଂ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ, ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି। ଅଭିଯୋଗ ରହିଛି ଯେ ମିଲରମାନଙ୍କ ସହ ଚୁକ୍ତିଗତ ସମସ୍ୟା, ଧାନ ଉଠାଣରେ ବିଳମ୍ବ ଏବଂ ଅନେକ ଚାଷୀଙ୍କୁ ଟୋକନ୍ ମିଳିବାରେ ଅସୁବିଧା ଯୋଗୁଁ ଏହି ସ୍ଥିତି ଉପୁଜିଛି। ପ୍ରଶାସନ ପକ୍ଷରୁ ଚାଷୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇ ଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି। ତେବେ, ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି ତାହା ଉପରେ ଚାଷୀକୂଳ ନଜର ରଖିଛନ୍ତି। ଯଦି ଧାନ କିଣା ସ୍ୱାଭାବିକ ନ ହୁଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବରଗଡ଼ ଜିଲ୍ଲାର ଅନ୍ୟ ମଣ୍ଡିଗୁଡ଼ିକୁ ବ୍ୟାପିବାର ସମ୍ଭାବନା ରହିଛି।

ଚାଷୀଙ୍କ ମୁଖ୍ୟ ଦାବିଗୁଡ଼ିକ ହେଲା:
•ମଣ୍ଡିରେ ପଡ଼ି ରହିଥିବା ସମସ୍ତ ଧାନକୁ ୪୮ ଘଣ୍ଟା ମଧ୍ୟରେ ଉଠାଣ କରିବା।
•ସମସ୍ତ ପଞ୍ଜୀକୃତ ଚାଷୀଙ୍କୁ ତୁରନ୍ତ ଟୋକନ୍ ଯୋଗାଇ ଦେବା।
•ଧାନ କିଣାବିକାରେ ‘କଟନି-ଛଟନି’କୁ ବନ୍ଦ କରିବା ଏବଂ ଗୁଣବତ୍ତା ଯାଞ୍ଚ ପାଇଁ PACS ଓ RMCର କର୍ମଚାରୀଙ୍କୁ ନିୟୋଜିତ କରିବା।
•P-PAS ମାଧ୍ୟମରେ ସୁରୁଖୁରୁରେ ଧାନ କିଣା ପ୍ରକ୍ରିୟା ଶେଷ କରିବା।

ଏହି ଘଟଣାକୁ ନେଇ ସାରା ଜିଲ୍ଲାର ଚାଷୀ ମହଲରେ ଉତ୍ତେଜନା ଦେଖାଦେଇଥିବା ବେଳେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories