ଲୋକସଭାରେ ଆଜି ପୂର୍ବାହ୍ନ ୧୧ଟାରୁ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଆଲୋଚନାରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ଅବସରକୁ ଏକ ଅତ୍ୟନ୍ତ ଗୌରବମୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।
‘ବନ୍ଦେ ମାତରମ୍’ ଗୀତଟି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବିଖ୍ୟାତ ଉପନ୍ୟାସ ଆନନ୍ଦମଠ’ରେ ପ୍ରଥମେ ସ୍ଥାନ ପାଇଥିଲା। ଏହାକୁ ପ୍ରଥମ ଥର ପାଇଁ ୧୮୯୬ ମସିହାରେ କଲିକତା କଂଗ୍ରେସ ଅଧିବେଶନରେ ଗାନ କରାଯାଇଥିଲା ଏବଂ ସ୍ୱାଧୀନତା ସଂଗ୍ରାମ ସମୟରେ ଏହା କୋଟି କୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ଜଳାଇଥିଲା, ଯାହା ପରେ ଏହାକୁ ଭାରତର ଜାତୀୟ ଗାନ ଭାବେ ଗ୍ରହଣ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ପରେ ବିଭିନ୍ନ ଦଳର ସାଂସଦମାନେ ନିଜ ମତ ରଖିବେ। ରାଜ୍ୟସଭାରେ ମଧ୍ୟ ଏହି ବିଷୟରେ ଆଲୋଚନା ହେବା ସହ ଉଭୟ ଗୃହରେ ଶେଷରେ ଏକ ପ୍ରସ୍ତାବ ଗ୍ରହଣ କରାଯିବ।
ନିର୍ବାଚନ ସଂସ୍କାର ଉପରେ ବିରୋଧୀଙ୍କ ବିତର୍କ:
ଅନ୍ୟପଟେ, ବିରୋଧୀ ଦଳମାନେ ଦୀର୍ଘ ଦିନ ହେଲା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ଏବଂ ନିର୍ବାଚନ ସଂସ୍କାର ପ୍ରସଙ୍ଗକୁ ନେଇ ଆଜି ସଂସଦରେ ବିତର୍କ ହେବ। କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ବିତର୍କରେ ବିରୋଧୀଙ୍କ ନେତୃତ୍ୱ ନେବେ। କଂଗ୍ରେସ ପକ୍ଷରୁ କେ.ସି ବେଣୁଗୋପାଳ, ମନୀଷ ତିୱାରୀଙ୍କ ସମେତ ଅନ୍ୟ କେତେକ ସାଂସଦ ଅଂଶଗ୍ରହଣ କରିବେ।
ବିତର୍କ ପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବୁଧବାର ଦିନ ଆଇନ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ ଏହାର ଜବାବ ରଖିବେ। ରାହୁଲ ଗାନ୍ଧୀ ଏହି ବିତର୍କରେ ‘ଭୋଟ ଚୋରି’ ଏବଂ ଭାରତୀୟ ନିର୍ବାଚନ ଆୟୋଗ (ECI) ଙ୍କ ‘ଉତ୍ତରଦାୟିତ୍ୱ’ ପ୍ରସଙ୍ଗ ଉଠାଇ ପାରନ୍ତି। ବିଭିନ୍ନ ନିର୍ବାଚନ ପ୍ରଚାର ଅଭିଯାନରେ ସେ ନିର୍ବାଚନ ଆୟୋଗଙ୍କ ମନମୁଖୀ କାର୍ଯ୍ୟ, ଭୋଟ ତାଲିକାରେ ବ୍ୟାପକ ହେରଫେର୍ ଏବଂ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ କରିଆସୁଛନ୍ତି। ବହୁ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ହଟାଇ ଜାଲ ଭୋଟରଙ୍କୁ ସାମିଲ କରାଯାଉଥିବା ଅଭିଯୋଗ ଉଠାଇ ବିରୋଧୀ ଦଳମାନେ ବୁଥ ସ୍ତରୀୟ ଅଧିକାରୀ (BLO)ଙ୍କ ଉପରେ ଚାପ ଏବଂ ଆତ୍ମହତ୍ୟା ଭଳି ପ୍ରସଙ୍ଗ ମଧ୍ୟ ଉଠାଇପାରନ୍ତି। ଡିସେମ୍ବର ୧ରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ଦଳମାନେ SIR ଉପରେ ଆଲୋଚନା ପାଇଁ ଦାବି କରିଆସୁଥିଲେ, ଯାହା ପରେ ଆଜି ବିତର୍କ ପାଇଁ ସହମତି ହୋଇଛି।








