କଲେଜ୍ ଭିତରେ ରକ୍ତପାତ: ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ଼, ଅବସ୍ଥା ସଙ୍କଟାପନ୍ନ

କଲେଜ୍ ଭିତରେ ରକ୍ତପାତ: ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ଼, ଅବସ୍ଥା ସଙ୍କଟାପନ୍ନ

ବାଇଗଣବାଡ଼ିଆ/ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଇଗଣବାଡ଼ିଆ ସ୍ଥିତ ବି.ବି. ମହାବିଦ୍ୟାଳୟର ପରିସରରେ ଆଜି ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। କଲେଜ ଭିତରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ଛୁରାମାଡ଼ କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଆକ୍ରମଣରେ ଆହତ ହୋଇଥିବା ଛାତ୍ରଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଉଛନ୍ତି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗର ପ୍ରହ୍ଲାଦ ବିନ୍ଧାଣି। କଲେଜ ପରିସରରେ ଏହି ଆକ୍ରମଣ ହେବା ଫଳରେ ଛୁରାମାଡ଼ ଯୋଗୁଁ ତାଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ତାଙ୍କର ଅନ୍ତଃନଳୀ ବାହାରି ଆସିଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ, ଅବସ୍ଥାରେ ସୁଧାର ନ ଆସିବାରୁ ଏବଂ ସଙ୍କଟାପନ୍ନ ଯୋଗୁଁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଜନ ଅସନ୍ତୋଷ ଓ ପ୍ରତିବାଦ:

କଲେଜ ଭିତରେ ଏଭଳି ହିଂସାକାଣ୍ଡକୁ ସ୍ଥାନୀୟ ଲୋକେ ଓ ଅଭିଭାବକମାନେ ଆଦୌ ଗ୍ରହଣ କରିପାରି ନାହାନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଅଶାନ୍ତ ପରିସ୍ଥିତିକୁ ବିରୋଧ କରି ସ୍ଥାନୀୟ ଲୋକେ କଲେଜ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଛୁରାମାଡ଼ କରିଥିବା ଅଭିଯୁକ୍ତ ଛାତ୍ରକୁ କୁଳିଅଣା ପୁଲିସ ଥାନାରେ ଅଟକ ରଖିଛି। ଘଟଣାର ପରିସ୍ଥିତି ଏବଂ ଆକ୍ରମଣର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। କଲେଜ ପରିସରରେ ଏଭଳି ହିଂସାକାଣ୍ଡ କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories