ପଞ୍ଜାବ କଂଗ୍ରେସରେ ଭୂକମ୍ପ: ୫୦୦ କୋଟିର ‘ସୁଟକେସ୍’ ମନ୍ତବ୍ୟ ପାଇଁ ଡା. ନବଜ୍ୱୋତ କୌର ସିଧୁ ସସ୍ପେଣ୍ଡ

ପଞ୍ଜାବ କଂଗ୍ରେସରେ ଭୂକମ୍ପ: ୫୦୦ କୋଟିର 'ସୁଟକେସ୍' ମନ୍ତବ୍ୟ ପାଇଁ ଡା. ନବଜ୍ୱୋତ କୌର ସିଧୁ ସସ୍ପେଣ୍ଡ

ପଞ୍ଜାବ: ପଞ୍ଜାବ ରାଜନୀତିରେ ଏକ ବଡ଼ ବିବାଦ ଉପୁଜିବା ପରେ କଂଗ୍ରେସ ପାର୍ଟି ତୁରନ୍ତ ପଦକ୍ଷେପ ନେଇଛି। ପଞ୍ଜାବ କଂଗ୍ରେସ ପାର୍ଟିର ନେତ୍ରୀ ଡା. ନବଜ୍ୱୋତ କୌର ସିଧୁଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ସସ୍ପେଣ୍ଡ କରାଯାଇଛି। ପାର୍ଟିର ପଞ୍ଜାବ ପ୍ରଧାନ ଅମରିନ୍ଦର ସିଂହ ସୋମବାର ଏହି ସସ୍ପେନ୍ସନ ନିଷ୍ପତ୍ତି ଘୋଷଣା କରିଛନ୍ତି। ଡା. ସିଧୁଙ୍କ ଏକ ଗୁରୁତର ମନ୍ତବ୍ୟକୁ ନେଇ ସାରା ରାଜନୈତିକ ମହଲରେ ଚାପ ବଢ଼ିଯାଇଥିଲା।

ଡା. ସିଧୁ ଶନିବାର ଦିନ ଏକ ବଡ଼ ଅଭିଯୋଗ କରି କହିଥିଲେ ଯେ, ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦପ୍ରାର୍ଥୀ ହେବାକୁ ହେଲେ ପାର୍ଟିକୁ “୫୦୦ କୋଟି ଟଙ୍କାର ସୁଟକେସ” ଦେବାକୁ ପଡ଼ିଥାଏ।  ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କ ପାଖରେ ଏତେ ବଡ଼ ରାଶିର ଟଙ୍କା ନାହିଁ, ଯାହା ଦେଇ ସେ ମୁଖ୍ୟମନ୍ତ୍ରୀ ଚେୟାରରେ ବସିପାରିବେ। ଆମେ ସଦା ପଞ୍ଜାବ ଓ ପଞ୍ଜାବିୟତ ପାଇଁ କଥା କହୁଛୁ। କିନ୍ତୁ ଆମ ପାଖରେ ଏତେ ଟଙ୍କା ନାହିଁ ଯାହା ଦେଇ ମୁଖ୍ୟମନ୍ତ୍ରୀର ଚେୟାରରେ ବସିପାରିବୁ, ବୋଲି ସେ କହିଥିଲେ। କିଏ ଏହି ଟଙ୍କା ଦାବି କରୁଛି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ ସିଧାସଳଖ କାହାରି ନାଁ ନନେଇ କହିଥିଲେ, ଯେଉଁଠାରେ ୫୦୦ କୋଟିର ସୁଟକେସ ଯାଏ, ସେହିଠାରେ ସେମାନେ ମୁଖ୍ୟମନ୍ତ୍ରୀ ହେବାକୁ ପାନ୍ତି।

ଏହି ମନ୍ତବ୍ୟ ପଞ୍ଜାବ କଂଗ୍ରେସ ଭିତରେ ତୁରନ୍ତ ଅସୁବିଧା ସୃଷ୍ଟି କରିଥିଲା ଏବଂ ପାର୍ଟି ନେତୃତ୍ୱ ଏହାକୁ ଦଳୀୟ ଶୃଙ୍ଖଳାଭଙ୍ଗ ଭାବରେ ଗ୍ରହଣ କରିଥିଲେ।

ଡା. ସିଧୁ କେବଳ ଏତିକିରେ ଅଟକି ନଥିଲେ, ସେ ଏକ ସଂକେତ ମଧ୍ୟ ଦେଇଥିଲେ ଯେ ଯଦି ଅନ୍ୟ କୌଣସି ପାର୍ଟି ତାଙ୍କ ସ୍ୱାମୀ ତଥା ପୂର୍ବତନ କ୍ରିକେଟର ନବଜ୍ୱୋତ ସିଂହ ସିଧୁଙ୍କୁ ପଞ୍ଜାବ ସୁଧାରିବା ପାଇଁ ଶକ୍ତି ପ୍ରଦାନ କରେ, ତେବେ ସେମାନେ କଂଗ୍ରେସ ପାର୍ଟି ବଦଳିବା ବିଷୟରେ ବିଚାର କରିପାରନ୍ତି। ତାଙ୍କ କହିବାନୁଯାୟୀ, ଆମେ କୌଣସି ପାର୍ଟିକୁ ଟଙ୍କା ଦେଇପାରିବୁ ନାହିଁ। କିନ୍ତୁ ପରିଣାମ ଦେବୁ, ପଞ୍ଜାବକୁ ସୁନାର ରାଜ୍ୟ କରିଦେବୁ।

ଡା. ସିଧୁଙ୍କ ଏହି ବିସ୍ଫୋରକ ମନ୍ତବ୍ୟ ପରେ ପଞ୍ଜାବ କଂଗ୍ରେସର ଭିତରେ ନୂଆ ତଣମଣ ସୃଷ୍ଟି ହୋଇଛି ଏବଂ ଏହି ଘଟଣାକୁ ଗୁରୁତର ଭାବେ ନିଆଯାଇଛି। କଂଗ୍ରେସର ଏହି ପଦକ୍ଷେପ ପରେ ଡା. ନବଜ୍ୱୋତ କୌର ସିଧୁ ଏବଂ ନବଜ୍ୱୋତ ସିଂହ ସିଧୁଙ୍କର ଆଗାମୀ ରାଜନୀତିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଏହା ପଞ୍ଜାବର ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories