ଉର୍ମିଳା ଏଜେନ୍ସି ବିରୋଧରେ କର୍ମଚାରୀଙ୍କ ବିଦ୍ରୋହ, PMPGH ଠିକା କର୍ମଚାରୀ ଆନ୍ଦୋଳନରେ

ଉର୍ମିଳା ଏଜେନ୍ସି ବିରୋଧରେ କର୍ମଚାରୀଙ୍କ ବିଦ୍ରୋହ, PMPGH ଠିକା କର୍ମଚାରୀ ଆନ୍ଦୋଳନରେ

ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା (PMPGH) ରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ବୋନସ ଓ ଏରିଅର ପ୍ରଦାନ କରାଯାଇନଥିବା ଅଭିଯୋଗରେ ଆଜି ଜଗନ୍ନାଥ ଜିଏମ ଅଫିସ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଠିକାସଂସ୍ଥା ଉର୍ମିଳା ଏଜେନ୍ସି ପକ୍ଷରୁ କର୍ମଚାରୀଙ୍କୁ ଏହି ବକେୟା ରାଶି ଦିଆଯାଉ ନଥିବାରୁ ପିଏମ୍‌ପିଜିଏଚ୍‌ ୱାର୍କର ୟୁନିୟନ ଏହି ଅହୋରାତ୍ର ଧାରଣା ଆରମ୍ଭ କରିଛି।

ସୂଚନା ଅନୁସାରେ, ଠିକା କର୍ମଚାରୀଙ୍କୁ ବୋନସ ଓ ଏରିଅର ନଦିଆଯିବା ନେଇ ୟୁନିୟନ ପକ୍ଷରୁ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଆସୁଥିଲା। ଏହି ସମ୍ପର୍କରେ ୟୁନିୟନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଫଳରେ, ଉପଜିଲ୍ଲାପାଳ, ଠିକା ସଂସ୍ଥା ଉର୍ମିଳା ଏବଂ ୟୁନିୟନର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ସେହି ଆଲୋଚନା ସମୟରେ, ଖୁବ୍‌ଶୀଘ୍ର କର୍ମଚାରୀଙ୍କୁ ବୋନସ ସହିତ ଏରିଅର ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ କର୍ମଚାରୀମାନେ ସେହି ସମୟରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ।

ହେଲେ, ଦୁଃଖର ବିଷୟ ଯେ ପ୍ରାୟ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିଶ୍ରୁତି ଅନୁଯାୟୀ ବୋନସ କିମ୍ବା ଏରିଅର ମିଳିପାରି ନାହିଁ। ଏ ନେଇ ପୁଣି ତାଳଚେର ଉପଜିଲ୍ଲାପାଳଙ୍କ ସମେତ ଖଣି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ତେବେ, ଏହାର କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ସମସ୍ତ କର୍ମଚାରୀ ଏବଂ ପିଏମ୍‌ପିଜିଏଚ୍‌ ୱାର୍କର ୟୁନିୟନ ପକ୍ଷରୁ ଏହି ଅହୋରାତ୍ର ଗଣ ଧାରଣା ଆରମ୍ଭ କରାଯାଇଛି। ୟୁନିଅନ ପକ୍ଷରୁ କୁହାଯାଇଛି ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ଏବଂ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories