ଭିନ୍ନକ୍ଷମଙ୍କ ପ୍ରେରଣାର ଉତ୍ସ, ଆଦର୍ଶ ଯୁବ ଇଞ୍ଜିନିଅର ସମୁଦ୍ରଗୁପ୍ତ

ଭିନ୍ନକ୍ଷମଙ୍କ ପ୍ରେରଣାର ଉତ୍ସ, ଆଦର୍ଶ ଯୁବ ଇଞ୍ଜିନିଅର ସମୁଦ୍ରଗୁପ୍ତ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମର ଭିନ୍ନକ୍ଷମ ଯୁବକ ଇଂ ସମୁଦ୍ରଗୁପ୍ତ ପ୍ରଧାନ ଜଣେ ସୁନାମଧନ୍ୟ ବୈଦ୍ୟୁତିକ ଯନ୍ତ୍ରୀ ଭାବେ ବେଶ ଜଣାଶୁଣା l ସେ ଜଣେ ମେଳାପୀ, ନମ୍ର, ଭଦ୍ର ତଥା ପରୋପକାରୀ ପ୍ରକୃତିର ବ୍ୟକ୍ତିବିଶେଷ l ଦୈନନ୍ଦିନ ଜୀବନରେ ବ୍ୟବହୃତ ବୈଦ୍ୟୁତିକ ଉପକରଣ ଟିଭି, ଫ୍ରିଜ, କୁଲର, ପଙ୍ଖା, ୱାସିଙ୍ଗ ମେସିନ, ପାଣି ପମ୍ପ ଆଦି ସଜାଡ଼ିବାରେ ସେ ସମ୍ପୂର୍ଣ୍ଣ ସକ୍ଷମ l ୨୧ ଜୁଲାଇ ୧୯୯୮ ମସିହାରେ ସେ ଶାନ୍ତନୁ କୁମାର ପ୍ରଧାନ ଏବଂ ବାସନ୍ତୀ ପ୍ରଧାନଙ୍କ କୋଳମଣ୍ଡନ କରିଥିଲେ l ପିଲା ଦିନେ ତାଙ୍କୁ ମକରନ୍ଦ ନାଁରେ ସମସ୍ତ ଜାଣୁଥିଲେ l ତାଙ୍କ ବାପା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ଆଗଧାଡିର କାର୍ଯ୍ୟକର୍ତ୍ତା ତଥା ବିଜେପି ନେତା ଥିବା ବେଳେ ମାଆ ଜଣେ ସଫଳ ଗୃହିଣୀ l ବୌଦ୍ଧ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ୨୦୧୫ ମସିହାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀହର୍ଷ ମେମୋରିଆଲ ଭିନ୍ନକ୍ଷମ ବିଦ୍ୟାଳୟରୁ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ l ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ ବୌଦ୍ଧସ୍ଥିତ ସରକାରୀ ବହୁବୃତ୍ତି ଶିକ୍ଷା ଅନୁଷ୍ଠାନରୁ ବୈଦ୍ୟୁତିକ ଯନ୍ତ୍ରୀ ଭାବରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l ସେ ଆଜନ୍ମ ମୂକ ବଧିର ହୋଇଥିବା ବେଳେ ଶୈଶବାବସ୍ଥାରେ ସଂଘର୍ଷ ସହ ଆଗକୁ ବଢ଼ି ତରୁଣ ବୟସରେ ସଫଳତାର ଶିଖରକୁ ସ୍ପର୍ଶ କରିବା ପାଇଁ ସମର୍ଥ ହୋଇଥିଲେ l

ସମୁଦ୍ରଗୁପ୍ତ ଜଣେ ଯୁବ ଇଞ୍ଜିନିଅର ହୋଇଥିଲେ ସୁଦ୍ଧା ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଛନ୍ତି l ବର୍ତ୍ତମାନ ସେ ନିଜର ଏକ ବୈଦ୍ୟୁତିକ ଉପକରଣ ମରାମତି ଦୋକାନ ଚଳାଇବା ସହ ପରିବାର ପ୍ରତିପୋଷଣ କରୁଛନ୍ତି l ଜିଲ୍ଲା ପ୍ରଶାସନ ସମୁଦ୍ରଗୁପ୍ତଙ୍କ ଭଳି ଅଭିଜ୍ଞତା ସମ୍ପନ୍ନ ଭିନ୍ନକ୍ଷମ ଯୁବକମାନଙ୍କୁ ଚିହ୍ନଟ ପୂର୍ବକ ସହାୟତା ଯୋଗାଇ ଦେଲେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories