ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ମିଳିଛି । ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଉନ୍ନତ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଏକ ବଡ଼ ଶିକାରୀ ଗ୍ୟାଙ୍ଗ ଧରାପଡ଼ିଛି । ନିକଟରେ ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଅଭୟାରଣ୍ୟ ଭିତରେ କୃତ୍ରିମ ବୁଦ୍ଧିମତ୍ତା (AI) ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯାଇଥିଲା । ଏହି କ୍ୟାମେରାଗୁଡ଼ିକ ଶିକାରୀଙ୍କ ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିପାରୁଥିଲା । ଏହି ଗୁଇନ୍ଦା କ୍ୟାମେରାର ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ବନ ବିଭାଗ ଟିମ୍ ଜେନାବିଲ ରେଞ୍ଜ ଅଧୀନ ଜଡ଼ିଦା ଗ୍ରାମରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୫ ଜଣ କଟ୍ଟର ଶିକାରୀଙ୍କୁ ଗିରଫ କରାଯାଇଛି । ସମସ୍ତ ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି ।
ବନ ବିଭାଗର ଟିମ୍ ଉକ୍ତ ଅଭିଯୁକ୍ତ ଶିକାରୀମାନଙ୍କ ପିଛା କରି ସେମାନଙ୍କ ଘର ପଛପଟେ ଥିବା ଜଙ୍ଗଲରୁ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଲୋଡ୍ ଥିବା ଦେଶୀ ବନ୍ଧୁକ (ଯାହାକୁ ପାଣି ଢାଳି ଅଣଲୋଡ୍ କରାଯାଇଥିଲା), ୭ଟି ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହୃତ ଫାଶ, ୫୩୫ ଗ୍ରାମ ଶୁଖିଲା ବଣୁଆ ମାଂସ, ୨ଟି ଟର୍ଚ୍ଚ, ଏବଂ ବାରୁଦ ଗୁଣ୍ଡ ତିଆରି ପାଇଁ ବ୍ୟବହୃତ ପଲିଥିନ ସିଟ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଏହି ଶିକାରୀ ଗ୍ୟାଙ୍ଗ୍ ବହୁ ଦିନରୁ ଜଙ୍ଗଲରେ ଫାଶ ବସାଇ ବନ୍ୟଜନ୍ତୁଙ୍କୁ ଶିକାର କରି ଆସୁଥିଲେ ।
ଶିମିଳିପାଳ ଅଭୟାରଣ୍ୟ ‘କଳା ବାଘ’ ବା ‘Black Tiger’ଙ୍କ ଉପସ୍ଥିତି ଯୋଗୁଁ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିଛି । ଏହି ସମୟରେ ଶିକାରୀମାନଙ୍କ ଦୌରାତ୍ମ୍ୟ ଜଙ୍ଗଲର ଦୁର୍ଲଭ ଓ ବିଲୁପ୍ତପ୍ରାୟ ଜୀବଙ୍କ ସୁରକ୍ଷା ଉପରେ ଗୁରୁତର ବିପଦ ସୃଷ୍ଟି କରିଛି । ପୂର୍ବରୁ ବାଘ ଓ ହରିଣ ଶିକାର ହେବା ଭଳି ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ବନ ବିଭାଗ ଏବେ ଅଧିକ ସତର୍କ ହୋଇଛି । ଜଙ୍ଗଲୀ ଜନ୍ତୁଙ୍କୁ ରକ୍ଷା କରିବା ପାଇଁ ବନ ବିଭାଗ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବା ସହ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରା ଜରିଆରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛି । ଶିକାରୀ ଗ୍ୟାଙ୍ଗକୁ ଧରିବାରେ ବନ ବିଭାଗର ଏହି ସଫଳତା ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇପାରେ ।








