ଜାପାନରେ ପୁଣି ଶକ୍ତିଶାଳୀ ଭୂମିକମ୍ପ: ସୁନାମି ସତର୍କତା ଜାରି…

ଜାପାନରେ ପୁଣି ଶକ୍ତିଶାଳୀ ଭୂମିକମ୍ପ: ସୁନାମି ସତର୍କତା ଜାରି…

ଜାପାନ ରେ ଆଜି ସକାଳେ ପୁଣି ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୬.୭ ଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଉପକୂଳ ଅଞ୍ଚଳରୁ ଦୂର ସହର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଭାରତୀୟ ସମୟ ଅନୁଯାୟୀ ସକାଳ ୮.୧୪ ରେ ଏହି ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ମାତ୍ର ୧୦.୭ କିଲୋମିଟର ଥିବାରୁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭୂମିକମ୍ପ ଉପକୂଳ ନିକଟରେ ହୋଇଥିଲା ଏବଂ ତୀବ୍ରତା ଏତେ ଅଧିକ ଥିଲା ଯେ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଦୋକାନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ଆଲାର୍ମ ବାଜି ଉଠିଥିଲା।

ଭୂମିକମ୍ପ ପରେ ଜାପାନ ପାଣିପାଗ ସଂସ୍ଥା (JMA) ତରଫରୁ ସୁନାମି ସତର୍କତା ଜାରି କରାଯାଇଛି। ରିପୋର୍ଟ ଅନୁସାରେ, ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲହରୀ ଆସିବାର ସମ୍ଭାବନା ଥିବାରୁ ଏହି ଚେତାବନୀ ଦିଆଯାଇଛି। ମଧ୍ୟାହ୍ନ ପର୍ଯ୍ୟନ୍ତ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ସତର୍କତା ଜାରି ରହିଥିଲା। ହୋକାଇଡୋର କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ଉପକୂଳ, ଆଓମୋରି ପ୍ରଦେଶ, ଇୱାଟେ ପ୍ରଦେଶ ଏବଂ ମିଆଗି ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଉପକୂଳ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି।

ଜାପାନ ଏହି ସପ୍ତାହରେ ଏକାଧିକ ଭୂମିକମ୍ପର ସମ୍ମୁଖୀନ ହେଉଛି। ଆଜିର ୬.୭ ତୀବ୍ରତାର ଭୂମିକମ୍ପ ସହ ଏହି ସପ୍ତାହର ଚତୁର୍ଥ ଦିନ ପାଇଁ ଜାପାନ ଥରି ଉଠିଛି

• ସୋମବାର, ୭.୬ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଛୋଟ ସୁନାମି ଲହରୀ ସୃଷ୍ଟି ହୋଇଥିଲା।

• ମଙ୍ଗଳବାର, ହୋଞ୍ଚୋ ସିଟିରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

• ବୁଧବାର, ଆଓମୋରି ଏବଂ ହୋକାଇଡୋରେ ୬.୫ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଥିଲା।

• ଶୁକ୍ରବାର, ଆଉ ଏକ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।

ବାରମ୍ବାର ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି ଏବଂ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories