ଭୁବନେଶ୍ବର: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ଙ୍କ ଦ୍ୱାରା ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ପରେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଦିଲ୍ଲୀରେ ହେବ। ଏହି ବିବାଦକୁ ନେଇ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା ହେବ ଏବଂ କେନ୍ଦ୍ରୀୟ ନେତୃତ୍ୱ ହସ୍ତକ୍ଷେପ କରିବେ। ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଥିବାବେଳେ କିଭଳି ଭାବେ ବିବାଦର ସମାଧାନ ହୋଇ ଦଳ ସଂଗଠିତ ହୋଇ କାମ କରିବ, ସେ ନେଇ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।
ପୂର୍ବରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମୋକିମ୍ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସେ ନିଜର ମତ ଦୋହରାଇ କହିଛନ୍ତି ଯେ, ସେ କାହା ବିରୋଧରେ କିଛି କହିବେ ନାହିଁ। ମାତ୍ର ସେ ଦଳର ସଂସ୍କାର ପାଇଁ ‘ମୁଣ୍ଡରେ କଫନ୍ ବାନ୍ଧି’ ବାହାରିଛନ୍ତି ଏବଂ ତାଙ୍କର ସମସ୍ତ କାର୍ଯ୍ୟକୁ ସେ ହିଁ ଦାୟୀ।
ମୋକିମ୍ ବାରମ୍ବାର ନିର୍ବାଚନରେ ହାରୁଥିବା ବରିଷ୍ଠ ନେତାମାନଙ୍କୁ ପଦପଦବୀ ତ୍ୟାଗ କରି ‘ମାର୍ଗଦର୍ଶକ’ ହେବାକୁ ପରାମର୍ଶ ଦେଇଛନ୍ତି। କଂଗ୍ରେସକୁ ପୁନର୍ଜୀବନ ଦେବା ପାଇଁ ଯୁବକଙ୍କୁ ନେତୃତ୍ୱ ଦେବା ପାଇଁ ବାଟ ଛାଡ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ‘ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି’ ସହିତ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ମୋକିମ୍ ପୂର୍ବତନ ଓ ବର୍ତ୍ତମାନର ପିସିସି ସଭାପତିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତିନି ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ରେ ନେତୃତ୍ୱ ମିଳିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ତାଙ୍କ ନେତୃତ୍ୱରେ ନୂଆପଡ଼ା
ଉପନିର୍ବାଚନରେ କଂଗ୍ରେସ ୮୩ ହଜାର ଭୋଟ୍ରେ ହାରିବା ଏବଂ ତାଙ୍କ ସଂସଦୀୟ କ୍ଷେତ୍ରର କର୍ମୀ ତାଙ୍କୁ ବିଶ୍ୱାସ ନ କରୁଥିବା ଦର୍ଶାଇ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ‘ଅସମ୍ଭବ ବ୍ୟାପାର’ ବୋଲି ସେ ମତ ଦେଇଛନ୍ତି। ସେହିପରି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ୍ ପାଇବା ଏବଂ ସେ ନିଜେ ନିର୍ବାଚନରେ ଅମାନତ ହରାଇବା ଉପରେ ମଧ୍ୟ ମୋକିମ୍ ପ୍ରଶ୍ନ କରିଛନ୍ତି।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଶୈଳୀ ଉପରେ ମଧ୍ୟ ମୋକିମ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ଥିବାବେଳେ ୩ ବର୍ଷ ଅପେକ୍ଷା କରି ମଧ୍ୟ ସେ ରାହୁଲଙ୍କୁ ଭେଟିପାରି ନଥିଲେ। ରାହୁଲ ‘କୋଟେରୀ ଗ୍ରୁପ୍’ରୁ ବାହାରିଲେ ହିଁ ଠିକ୍ ନିଷ୍ପତ୍ତି ନେଇପାରିବେ। ଏଥିସହ ‘ଭାରତ ଯୋଡ଼ ଯାତ୍ରା’ ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହି ମଧ୍ୟ ତୃଣମୂଳ କର୍ମୀଙ୍କୁ ନ ଭେଟିବା ଘଟଣାରେ ସେ ନିରାଶା ପ୍ରକାଶ କରିଛନ୍ତି।








