ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧର ମାତ୍ରା କମିବାର ନାଁ ନେଉନାହିଁ। ଅଶୋକନଗର ନାବାଳିକା ଦୁଷ୍କର୍ମ ଘଟଣାର ଲୋମହର୍ଷଣକାରୀ ଚିତ୍ର ମନରୁ ନ ଲିଭୁଣୁ, ପୁଣିଥରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଥର ଘଟଣାସ୍ଥଳ କଳିଙ୍ଗନଗର, ଯେଉଁଠାରେ ଜଣେ ୧୧ ବର୍ଷୀୟା ନିଷ୍ପାପ ନାବାଳିକାକୁ ଘର ମାଲିକର ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରକ୍ଷକ ସାଜିଥିବା ଘର ମାଲିକଙ୍କ ପରିବାରର ସଦସ୍ୟ ଭକ୍ଷକ ସାଜିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରୁ ଏକ ଗରିବ ପରିବାର ରୋଜଗାର ଅନ୍ୱେଷଣରେ ଆସି ଭୁବନେଶ୍ୱରର କଳିଙ୍ଗନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଗତ ୪ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ନେଇ ଘର ମାଲିକର ଭାଇ ଏକ ପଶୁ ଭଳି ଆଚରଣ କରିଥିଲା। ସେ ନାବାଳିକାକୁ ଏକାକୀ ପାଇ ବାରମ୍ବାର ଦୁଷ୍କର୍ମ କରିବା ସହ ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡି ଦେଇଥିଲା। କେବଳ ସେତିକି ନୁହେଁ, ଏହି ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଏହି ନରପିଶାଚ।
ପରିବାର ଲୋକେ ଘରକୁ ଫେରି ଝିଅକୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ପଚରାଉଚୁରା ପରେ ଭୟଭୀତ ନାବାଳିକା ଜଣକ ନିଜ ଉପରେ ହୋଇଥିବା ଅତ୍ୟାଚାର ବଖାଣିଥିଲେ। ଏହା ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ତୁରନ୍ତ ପରିବାର ଲୋକେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏକ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ପ୍ରମାଣ ସଂଗ୍ରହ କରିଛି। ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି।
ବର୍ତ୍ତମାନ ପୀଡିତା ନାବାଳିକା ଜଣକ ହସ୍ପିଟାଲ ବେଡରେ ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି। ତାଙ୍କ ଶାରୀରିକ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ପରେ ପୀଡିତାଙ୍କ ପରିବାର ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି। ବଡ ଝିଅ ସହ ଯାହା ଘଟିଲା, ତାହା ଦେଖି ସେମାନେ ନିଜ ସାନ ଝିଅର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଭୁବନେଶ୍ୱର ଭଳି ସହରରେ ଆଉ ରହିବା ନିରାପଦ ମଣୁନାହାନ୍ତି ଏହି ଅସହାୟ ପରିବାର। ଆମେ ଆଉ ଏଠାରେ ରହିବୁ ନାହିଁ, ଗାଁକୁ ପଳାଇବୁ, ବୋଲି କୋହଭରା କଣ୍ଠରେ କହିଛନ୍ତି ପୀଡିତାଙ୍କ ବାପା-ମା’।
ଏହି ଘଟଣା ପୁଣିଥରେ ରାଜଧାନୀରେ ମହିଳା ଓ ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରାଧୀଙ୍କ ମନରେ ଆଇନର ଭୟ କମୁଥିବା ବେଳେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଦୋଷୀକୁ କଠୋରରୁ କଠୋର ଶାସ୍ତି ଦେବାକୁ ସାଧାରଣରେ ଦାବି ହେଉଛି।








