କେନ୍ଦୁଝର: ଆଗକୁ ବଢ଼ିଲା କେନ୍ଦୁଝର ଜିଲ୍ଲା ର ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପ୍ରକଳ୍ପ । ଏଥିପାଇଁ ଶଉକ୍ରବାର ସଫଳତାର ସହ ଅନୁଷ୍ଠିତ ହୋଇଛି ପ୍ରଥମ ଗ୍ରାମସଭା। ପାଟଣା ବ୍ଲକ ଭୃଙ୍ଗରାଜପଶିରେ ଅନୁଷ୍ଠିତ ଗ୍ରାମସଭା ସ୍ଥାନୀୟ ଲୋକ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସଫଳ ହୋଇଛି । ପାଟଣା ବ୍ଲକ ଚେମଣା ପଞ୍ଚାୟତର ଭୃଙ୍ଗରାଜପଶିରେ ଅନୁଷ୍ଠିତ ହୋଇଥିଲା ଗ୍ରାମ ସଭା। ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପାଇଁ ଗ୍ରାମସଭାରେ ଭିଡ ଜମି ଥିଲା। ଚେମେଣା ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ, ପାଟଣା ବିଡ଼ିଓ, ତହସିଲଦାର, ସମିତିସଭ୍ୟ ଯୋଗ ଦେଇଥିଲେ ।
ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଭୃଙ୍ଗରାଜପଶିର ୧୮ ଜଣଙ୍କର ୨୯.୬୧ ଏକର ଜମି ଅଧିଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ସଫଳତାର ସହ ଗ୍ରାମ ସଭା ଶେଷ ହୋଇଥିବା କ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ କହିଛନ୍ତି। ପାଟଣା ବ୍ଲକରେ JSW ଓ ପୋସ୍କୋ କମ୍ପାନିର ୪୦ ହଜାର କୋଟି ଟଙ୍କା ନିବେଶରେ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ଏଥିରେ ପାଟଣା ବ୍ଲକର ୧୨ଟି ଗାଁ ପ୍ରଭାବିତ ହେବ। ଚେମଣା ପଞ୍ଚାୟତର ୮ଟି ଗାଁ, ଜମୁନାପଶି ପଞ୍ଚାୟତର ୪ଟି ଗ୍ରାମକୁ ମିଶାଇ ମୋଟ ୧୨ ଟି ଗ୍ରାମରେ ୨ହଜାର ୪ଶହ ୬୬ ଏକର ଜମି ଅଧିଗ୍ରହଣ ହେବ ।
ଏଥି ମଧ୍ୟରୁ ୧୪୯୦ ଏକର ଘରୋଇ ଜମି ପାଇଁ ଗ୍ରାମସଭା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୃଙ୍ଗରାଜପଶିର ୨୯.୬୧ ଏକର ଘରୋଇ ଜମି ଅଧିଗ୍ରହଣ ନେଇ ଗ୍ରାମସଭା ସଫଳ ହୋଇଛି । ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି ସ୍ଥାନୀୟ ଲୋକେ । ଆଗାମୀ ଦିନରେ ଅନ୍ୟ ୧୧ ଟି ଗାଁ ରେ ଗ୍ରାମସଭା ହେବା ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ କହିଛନ୍ତି । ଜିଲ୍ଲାରେ ବଡ଼ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେବାକୁ ସ୍ଵାଗତ କରୁଛନ୍ତି ଜିଲ୍ଲାବାସୀ। ବିଶ୍ଵ ଶିଳ୍ପ ଜଗତକୁ କଞ୍ଚାମାଲ ଯୋଗାଉଥିବା ରତ୍ନଗର୍ଭା କେନ୍ଦୁଝର ଶିଳ୍ପ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଜିଲ୍ଲାରେ ନୂଆ ଶିଳ୍ପ ଜିଲ୍ଲା, ରାଜ୍ୟ ଓ ଦେଶର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ ବେଶ ସହାୟକ ହେବ ବୋଲି ଶିଳ୍ପ ବିଶାରଦ ଓ ଅର୍ଥନୀତିଜ୍ଞଙ୍କ ମତ। ନୂଆ ଶିଳ୍ପକୁ ନେଇ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି।
Author: Hindustan Tales Odisha
Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.







