ଭୁବନେଶ୍ୱର: ପ୍ରବଳ ଶୀତ ଲହରୀରେ ବର୍ତ୍ତମାନ ସମଗ୍ର ଓଡ଼ିଶା ଥରୁଛି। ଗତ ସପ୍ତାହେ ଧରି ରାଜ୍ୟରେ ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି, ଯାହା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରି ପକାଇଛି। ଶୀତର ଲହରୀ ଏତେ ପ୍ରବଳ ଯେ ଅନେକ ସ୍ଥାନରେ ତାପମାତ୍ରା ବହୁତ ତଳକୁ ଖସି ଆସିଛି। ବିଶେଷ କରି ଫୁଲବାଣୀ ନିକଟସ୍ଥ ଜି.ଉଦୟଗିରିରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ ନିକଟରେ ରହୁଛି। ଗତ ଶନିବାର ରାଜ୍ୟର ମୋଟ ୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳର ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ ଅନୁସାରେ, ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଏହି ଶୀତ ଲହରୀରୁ ନିସ୍ତାର ମିଳିବାର ସମ୍ଭାବନା କମ୍। ପାହାଡିଆ ଅଞ୍ଚଳରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳେ ରହିବାର ସମ୍ଭାବନା ଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ପାରଦ ତଳ ମୁହାଁ ରହିବ। ସକାଳୁ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି ଏବଂ ଦୃଶ୍ୟମାନତା କମି ଯାଉଛି।
ଶୀତର ପ୍ରକୋପରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳ ମଧ୍ୟ ଥରି ଉଠୁଛି ଏବଂ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଶୁକ୍ରବାର ପାହାନ୍ତିଆରେ ଏଠାକାର ତାପମାତ୍ରା ୫ ରୁ ୬ ଡିଗ୍ରୀ ମଧ୍ୟରେ ରେକର୍ଡ ହୋଇଥିଲା। ଲକ୍ଷ୍ମୀପୁରର ଅନେକ ସ୍ଥାନରେ ତୁଷାରପାତ ହେବା ସହ ପାଳ ଗଦା ଉପରେ ମଧ୍ୟ ସ୍ନୋ ଫଲ୍ ହେବାର ଦୃଶ୍ୟ ଦେଖିବାକୁ ମିଳିଛି।
ବିଶେଷ କରି ଏହି ପ୍ରବଳ ଥଣ୍ଡା ଯୋଗୁଁ ଧାନ ଅମଳ ପାଇଁ ଅପେକ୍ଷା କରିଥିବା ଚାଷୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଚାଷୀ ରାତି ତମାମ ଖଳାରେ ଶୀତ କାକରରେ ଧାନ ଜଗି ରହୁଛନ୍ତି। ପ୍ରବଳ ଥଣ୍ଡା ସତ୍ତ୍ୱେ ମଧ୍ୟ ଚାଷୀମାନେ ସକାଳେ ସୂର୍ଯ୍ୟ ଉଦୟ ହେବା ମାତ୍ରେ ନିଜର ବର୍ଷକର କଷ୍ଟକୁ ଅମଳ କରି ଘରକୁ ନେବା ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ଏହି ଜାଡ଼ ଯୋଗୁଁ କିଛି ମାତ୍ରାରେ ପନିପରିବା ଚାଷ ନଷ୍ଟ ହେବାର ଆଶଙ୍କା ଥିବା ଚାଷୀମାନେ ଆକଳନ କରିଛନ୍ତି।
ପ୍ରବଳ ଜାଡ଼ ଯୋଗୁଁ ସାଧାରଣ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋଇଁବାର ଦୃଶ୍ୟ ସବୁଆଡେ ଦେଖିବାକୁ ମିଳୁଛି। ଶୀତ ପ୍ରକୋପରୁ ବର୍ତ୍ତିବା ପାଇଁ ଲୋକମାନେ ଆଗୁଆ ଘରକୁ ଫେରିଯାଉଥିବାରୁ ସନ୍ଧ୍ୟା ୮ଟା ପୂର୍ବରୁ ବଜାର ଘାଟ ଶୂନଶାନ ହୋଇଯାଉଛି। ତେବେ ଏତେ ଥଣ୍ଡା ସତ୍ତ୍ୱେ କିଛି ସଚେତନ ବ୍ୟକ୍ତିବିଶେଷ ପ୍ରାତଃ ଭ୍ରମଣ (ମର୍ଣ୍ଣିଂ ୱାକ୍)ରେ ଯାଉଥିବା ଦେଖାଯାଉଛି।








